କନକ ବ୍ୟୁରୋ: ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମନେ ପକାଇ ଦେଇଛି ୧୭ ବର୍ଷ ତଳର ଆଶିଷ ହତ୍ୟା ଘଟଣା । ଏହି ମାମଲାରେ ଏଯାଏଁ ମିଳିନି ନ୍ୟାୟ । ମୃତପୁଅକୁ ନ୍ୟାୟ ଦେବା ପାଇଁ ତାଙ୍କ ବାପା ଏବେବି  ସଂଘର୍ଷ କରୁଛନ୍ତି । ବହୁ ବିଳମ୍ୱ ହୋଇଥିଲେ ବି ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଭରସା ଅଛି । ପୁଅକୁ ନ୍ୟାୟ ମିଳିବା ଆଶାରେ ଜାରି ରଖିଛନ୍ତି ଲଢ଼େଇ ।

Advertisment

ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣଦୁଷ୍କର୍ମ ଘଟଣା ୧୭ ବର୍ଷ ତଳର ଆଶିଷ ତ୍ରିପାଠୀ ହତ୍ୟା ଘଟଣାର ସ୍ମୃତିକୁ ତାଜା କରିଛି । ୨୦୦୮ ନଭେମ୍ବର ୨୧ ତାରିଖ ସନ୍ଧ୍ୟା । ଗୋପାଳପୁର ବେଳାଭୂମିରେ ନିଜ ବାନ୍ଧବୀଙ୍କ ସହ ବୁଲୁଥିଲେ ବ୍ରହ୍ମୁପୁରର ଆଶିଷ ତ୍ରିପାଠୀ । ବାନ୍ଧବୀଙ୍କୁ ୮ଜଣ ଯୁବକ କମେଣ୍ଟ ମାରିବାରୁ ବିରୋଧ କରିଥିଲେ ଆଶିଷ । ଆଶିଷଙ୍କ ମୁଣ୍ଡକୁ ଯୁବକମାନେ ଡଙ୍ଗାକାତରେ ପିଟି ହତ୍ୟା କରିଥିଲେ । ୭ଜଣଙ୍କୁ ଗିରଫ କରିଥିଲା ପୁଲିସ । ବିଡ଼ମ୍ୱନାର କଥା, ୭ ଜଣ ତଳକୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଜଣେ ଫେରାର ଅଛି । 

ଗୋପାଳପୁର ବେଳାଭୂମିରେ ଗତ ୧୫ ତାରିଖ ଗଣଦୁଷ୍କର୍ମ ଘଟଣାର ତଦନ୍ତ କରୁଛି  କ୍ରାଇମବ୍ରାଞ୍ଚ୍‌ । କିନ୍ତୁ ୧୭ ବର୍ଷ ତଳର ଆଶିଷ ହତ୍ୟା ଘଟଣାରେ ବାପା ନ୍ୟାୟ ଅପେକ୍ଷାରେ ଅଛନ୍ତି । ନ୍ୟାୟ ପାଇଁ ସେ ମୁଖ୍ୟମନ୍ତ୍ରୀ, ଉଚ୍ଚ ପୁଲିସ ଅଧିକାରୀ, ଏପରିକି ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମାନବାଧିକାର କମିସନଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । କିନ୍ତୁ ଫଳ ଶୂନ । ଆଶିଷ ଜଣେ ମେଧାବୀ ଛାତ୍ର ଥିଲେ । ତାଙ୍କ ମୃତ୍ୟୁ ପରେ ବାହାରିଥିବା ଓଜେଇ ପ୍ରିଲିମିନାରି ପରୀକ୍ଷା ଫଳରେ ସଫଳ ହୋଇଥିଲେ । ଏବେ ବି ତାଙ୍କ ସାଙ୍ଗସାଥୀ ତାଙ୍କୁ ଝୁରୁଛନ୍ତି ଓ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ।

ଆଶିଷ ହତ୍ୟା ମାମଲାରେ ଆଜି ବି ଜଣେ ଅଭିଯୁକ୍ତ ଫେରାର ଅଛି । ଅନ୍ୟମାନେ  ନିର୍ଦ୍ଦୋଷରେ ଖଲାସ ହୋଇଯାଇଛନ୍ତି । ପୁଲିସର ତଦନ୍ତ ଉପରେ ଉଠିଛି ପ୍ରଶ୍ନ ?