Photograph: (Kanak News)
କନକ ବ୍ୟୁରୋ : ଆଜିର ସମାଜରେ ବାପ ମାଆ ବୁଢ଼ାବୁଢ଼ୀ ହୋଇଗଲେ ପୁଅ ବୃଦ୍ଧାଶ୍ରମରେ ଛାଡ଼ିଆସୁଛନ୍ତି । ହେଲେ ଏଠି ଜଣେ ନାତି ନିଷ୍ଠାପର ଭାବେ ନିଜ ଜେଜେମାଆର ସେବା କରିଚାଲିଛି । କାରଣ ବାପା ଅସହାୟ । ସେ ମେଡିକାଲରେ ରହି ମାଆର ସେବା କଲେ ପରିବାର ଚଳିପାରିବନି । ଭଦ୍ରକ ଜିଲ୍ଲା ହାତଡିହି ବ୍ଲକ ଅଂରା ଗାଁରୁ ଆସିଛି ଏମିତି ଏକ ଖବର ।
କଅଁଳ ବୟସ । ଦୁନିଆ କ’ଣ ଜାଣିନି । ହେଲେ କୁନି କୁନି ହାତରେ କରୁଛି ସେବା । ଯେଉଁ ହାତ ଠିକ୍ରେ ଖାଇବା ଶିଖିନି । ସେ ହାତ ଆଜି ଜେଜେମାଆ ସେବାରେ ନିଜକୁ ସମର୍ପି ଦେଇଛି । ଜେଜେମାଆର ଗୋଡ଼ ମୋଡ଼ି ଦେଉଛି । ତା’ ବିଛଣା ସଜାଡ଼ି ଦେଉଛି । ସେ କେମିତି ଖାଇବ କେମିତି ଶୌଚ ଯିବ ସବୁର ଦାୟିତ୍ୱ ନେଇଛି । ରାତି ଦିନ ମେଡିକାଲରେ ପଡ଼ିଥିବା ନିଜ ଜେଜେମାଆ ସେବାରେ ଲାଗିଛି କୁନି ପୁଅ ଶିବ । ଭଦ୍ରକ ଜିଲ୍ଲା ହାତଡିହି ବ୍ଲକ ଅଂରା ଗାଁରୁ ଆସିଛି ଏହି ଦୃଶ୍ୟ ।
ବୁଢ଼ୀ ମାଆ ଉତ୍ତରା ପରିଡ଼ାଙ୍କ ଗୋଡ଼ରେ ଫୋଟକା ହୋଇଥିଲା । ସେଥିପାଇଁ ସେ ସପ୍ତାହେ ହେଲାଣି ମେଡିକାଲ୍ରେ ପଡ଼ିଛନ୍ତି । ୨ ପୁଅ ଦାଦନ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ଆଉ ଗୋଟିଏ ପୁଅ ମୂଲ ଲାଗିଲେ ପରିବାର ଚଳିବ । ମା’ର ସେବା କରିବାକୁ ଇଚ୍ଛା ଥିଲେ ବି ସେ ଆସିପାରୁନାହାଁନ୍ତି । ଏପରି ପରିସ୍ଥିତିରେ ନାତି ପାଲଟିଛି ଜେଜେମାଆର ସାହାରା ।
ଡାକ୍ତରଖାନାର ଏହି ଦୃଶ୍ୟ ଉପସ୍ଥିତ ସମସ୍ତ ଲୋକଙ୍କୁ ବିଚଳିତ କରୁଥିଲା । ଆଉ ଏହି ସମର୍ପିତ ସେବା ପଛରେ ଲୁଚି ରହିଛି ଏକ ଅଭାବୀ ପରିବାରର ସଂଘର୍ଷପୂର୍ଣ୍ଣ କାହାଣୀ ।
Follow Us