କନକ ବ୍ୟୁରୋ: ସବୁ ବାପା ଚାହାନ୍ତି, ତାଙ୍କ ଝିଅ ଖୁବ୍ ନାଁ କରୁ । ସମାଜରେ ମୁଣ୍ଡ ଟେକି ଚାଲୁ । କିନ୍ତୁ କିଛି ଲୋକ ଅଛନ୍ତି, ଯିଏ ସମାଜର ଭୟରେ ନିଜ ଝିଅକୁ ଘର ଏରୁଣ୍ଡି ବନ୍ଧ ଅତିକ୍ରମ କରିବାକୁ ଦିଅନ୍ତି ନାହିଁ । ହେଲେ ସେହି ଝିଅ ଯେତେବେଳେ ସଫଳତା ହାସଲ କଲେ, ଆଉ ଦେଶର ଟେକ ରଖେ । ସେତେବେଳେ ବାପାର ଛାତି କୁଣ୍ଢେମୋଟ ହୋଇଯାଏ । କିଛି ଏମିତି ଘଟିଛି, ବିଶ୍ବ ବକ୍ସିଂ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଥିବା ମିନାକ୍ଷୀ ହୁଡ୍ଡାଙ୍କ ସହ । ଝିଅ ବାହା ହୋଇପାରିବନି ବୋଲି..
ମୀନାକ୍ଷୀ ହୁଡ୍ଡା । ହରିୟାଣାର ଛୋଟିଆ ଗାଁରୁ ଆସିଥିବା ଏହି ବକ୍ସର ଦେଶକୁ ଗର୍ବିତ କରିଛନ୍ତି । ଲିଭରପୁରରେ ଅନୁଷ୍ଠିତ ବିଶ୍ବ ବକ୍ସିଂ ଚାମ୍ପିଅନସିପ୍ର ୪୮ କିଲୋ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଗୌରବ ଅର୍ଜନ କରିଛନ୍ତି ମିନାକ୍ଷୀ । ସଫଳତା ତ ପାଇଲେ, କିନ୍ତୁ ଏହା ପଛରେ ରହିଛି ଖୁବ୍ ସଂଘର୍ଷ । ବାପା ଜଣେ ଅଟୋ ଚାଳକ ଥିବାରୁ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ । ଦାରିଦ୍ର୍ୟତା, ସମାଜର ଟାହିଟାପରା ଭୟରେ ଝିଅକୁ ବକ୍ସିଂରେ କ୍ୟାରିୟର ଗଢ଼ିବାକୁ ବାରଣ କରୁଥିଲେ । ଏପରିକି କାଳେ ଝିଅକୁ ବରପାତ୍ର ମିଳିବେନି, ସେ ଭୟ ରହୁଥିଲା । ପିତାଙ୍କ ଅନିଚ୍ଛା ସତ୍ତ୍ବେ ମା’ଙ୍କ ପ୍ରୋତ୍ସାହନ ଓ କୋଚ୍ଙ୍କ ସମର୍ଥନରେ ମିନାକ୍ଷୀ ଆଗକୁ ବଢ଼ିଥିଲେ । ସବୁ ଆଶଙ୍କାକୁ ଭୁଲ ପ୍ରମାଣିତ କରି ଆଜି ବିଶ୍ବ ବିଜେତା ହୋଇଛନ୍ତି । ବିଶ୍ବ ଚାମ୍ପିଅନସିପରେ ମିନାକ୍ଷୀ ପ୍ୟାରିସ ଅଲିମ୍ପିକ୍ସର କାଂସ୍ୟ ପଦକ ବିଜେତା ନାଜିମ କାଇଜେବେଙ୍କୁ ୪-୧ ବ୍ୟବଧାନରେ ପରାସ୍ତ କରି ଇତିହାସ ରଚିଛନ୍ତି । ଏହା ପୂର୍ବରୁ ଅସ୍ତାନା ବିଶ୍ବକପ୍ରେ ନାଜିମଙ୍କଠାରୁ ହାରି କାଂସ୍ୟ ପାଇଥିଲେ । କିନ୍ତୁ ଏଥର ମୀନାକ୍ଷୀଙ୍କ ଦୃଢ଼ତା ଓ ଦକ୍ଷତା ତାଙ୍କୁ ବିଶ୍ବ ଚାମ୍ପିଅନ କରିଛି ।
କେବଳ ମିନାକ୍ଷୀ ନୁହଁନ୍ତି, ହରିୟାଣାର ୪ ଜଣ ବକ୍ସର ବିଶ୍ବ ଚାମ୍ପିୟନଶିପରେ ପଦକ ଜିତି ଦେଶ ପାଇଁ ଆଣିଛନ୍ତି ଗର୍ବ । ଜସ୍ମିନ ଲାମ୍ବୋରିଆ ୫୭ କେଜି ବର୍ଗରେ ସ୍ବର୍ଣ୍ଣ, ନୂପୁର ଶେରନ୍ ୮୦ କେଜି ବର୍ଗରେ ରୌପ୍ୟ ଏବଂ ପୂଜା ରାଣୀ ୮୦ କେଜି ବର୍ଗରେ ବ୍ରୋଞ୍ଜ ଜିତିଛନ୍ତି । ମିନାକ୍ଷୀ ଓ ଜସ୍ମିନଙ୍କ ଏହି ସଫଳତା ଭାରତୀୟ ମହିଳାଙ୍କୁ ଆଗକୁ ବଢ଼ିବାରେ ବେଶ୍ ସହାୟକ ହେବ ।