କନକ ବ୍ୟୁରୋ: ନାବାଳିକ ଝିଅ ନିଖୋଜ । ମେ ମାସ ୨୭ ତାରିଖରୁ ମିଳୁନି ଝିଅ ପତ୍ତା । ଏପଟେ ବିଷ ପିଇ ଅସୁସ୍ଥ ହୋଇପଡ଼ିଛନ୍ତି ବାପା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଗୋଗୁଆ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ସ୍ଥାନୀୟ ଅଞ୍ଚଳରେ ଜନୈକା ନାବାଳିକାକୁ ସେହି ଅଞ୍ଚଳର ଜଣେ ଯୁବକ କେଉଁ ଆଡ଼େ ନେଇଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସମ୍ପୃକ୍ତା ନାବାଳିକାଙ୍କ ବାପା ଗତ ମେ ମାସ ୨୭ ତାରିଖରେ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ ।
ତେବେ ଏ ପର୍ଯ୍ୟନ୍ତ ସମ୍ପୃକ୍ତା ନାବାଳିକା ଉଦ୍ଧାର ହୋଇ ନ ପାରିବା କାରଣରୁ ତାଙ୍କ ବାପା ଗତ ତିନିଦିନ ତଳେ ବିଷ ପିଇଦେଇଥିବା ସୂଚନା ମିଳିଛି ।ଗୁରୁତର ଅବସ୍ଥାରେ ନାବାଳିକାଙ୍କ ବାପାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ସେ ଏବେ ଗୁରୁତର ଅବସ୍ଥାରେ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ତାଙ୍କର ବାପାଙ୍କୁ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଅଂଚଳବାସୀ ।