କନକ ବ୍ୟୁରୋ: ଖଣ୍ଡଗିରି ଥାନାରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମା’ଟିଏ ନିଜର ୬ଦିନର ମଲାଛୁଆକୁ ଧରି ବାହୁନି ବାହୁନି କାନ୍ଦୁଥିଲା । ସ୍ବାମୀଙ୍କ ଅବହେଳା ଓ ନିର୍ଯାତନା ଯୋଗୁ ଛୁଆଟି ପ୍ରାଣ ହରାଇଛି ବୋଲି ଥାନାରେ ଅଭିଯୋଗ ହୋଇଛି । ଛୁଆଟି ୭ମାସରୁ କମ୍‌ ସମୟରେ ଜନ୍ମ ହୋଇଥିବା ବେଳେ ତା’ର ସ୍ବାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ରହିଥିଲା । ମାତ୍ର ବାପା ସ୍ବାସ୍ଥ୍ୟ କାର୍ଡ ନଦେବାରୁ ଟଙ୍କା ଅଭାବରୁ ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏନେଇ ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Advertisment

ଅଭିଯୋଗ ମୁତାବକ, ପୁରୀ ବାଲିସାହି ଅଞ୍ଚଳର ଏହି ମହିଳାଜଣକ ଡୁମୁଡୁମା ଦୁର୍ଗାମଣ୍ଡପ ନିକଟରେ ରହୁଥିବା ନୟାଗଡ଼ କିଆଝର ଗ୍ରାମର ଗଙ୍ଗାଧର ନାଏକଙ୍କୁ ବିବାହ କରିଥିଲେ ।

ବିବାହ ସମୟରେ ମହିଳାଙ୍କ ଘରଲୋକ ଦାବି ମୁତାବକ ଯୌତୁକ ଦେଇଥିଲେ । ମାତ୍ର ଆଉ ୨ଲକ୍ଷ ଟଙ୍କା ଆଣିବା ପାଇଁ ସଂପୃକ୍ତ ମହିଳାଙ୍କ ଉପରେ ଶାଶୂଘର ଲୋକ ଚାପ ପକାଇବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ଗର୍ଭପାତ କରିବାକୁ ଔଷଧ ମଧ୍ୟ ଦେଇଥିଲେ । ଏଥିରେ ପୀଡ଼ିତା ଅତିଷ୍ଠ ହୋଇ ବାପଘରକୁ ଚାଲି ଆସିଥିଲେ । ‌ଯୌତୁକ ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରି ପୀଡ଼ିତାଙ୍କ ମା’ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଥିଲେ । ଛଅ ଦିନ ତଳେ ପୀଡ଼ିତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ସାତମାସରୁ କମ୍‌ ସମୟରେ ପିଲାଟି ଜନ୍ମ ହୋଇଥିବା‌ରୁ ତା’ର ସ୍ବାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ରହିଥିଲା । ଏକ ଘରୋଇ ମେଡିକାଲରେ ତା’ର ଚିକତ୍ସା ଚାଲିଥିଲା । ମାତ୍ର ଟଙ୍କା ଶେଷ ହୋଇଯିବାରୁ ଚିକିତ୍ସାରେ ବାଧା ଉପଜିଥିଲା । ପୀଡ଼ିତାଙ୍କର ବିଜୁ ସ୍ବାସ୍ଥ୍ୟ କାର୍ଡ ଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପରିବାର ଲୋକ ଅବଗତ କରିଥିଲେ । ଛୁଆର ବାପାଙ୍କ ଫିଙ୍ଗର ପ୍ରିଣ୍ଟ ଓ ଦସ୍ତଖତ ଦେଲେ ଚିକିତ୍ସା ହୋଇପାରିବା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ ।

ଏନେଇ ପୀଡ଼ିତା ନିଜ ସ୍ବାମୀ ଗଙ୍ଗାଧରଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଗିବା ସହିତ ହସ୍ପିଟାଲ୍‌କୁ ଆସିବାକୁ କହିଥିଲେ । ମାତ୍ର ଗଙ୍ଗାଧର ଫୋନ୍‌ରେ ସ୍ତ୍ରୀକୁ ଗାଳିଗୁଲଜ କରିବା ସହିତ ମହିଳା କମିସନରୁ ମାମଲା ଉଠାଇନେବାକୁ ସର୍ତ୍ତ ରଖିଥିଲେ । ପୀଡ଼ିତା ଏହି ସର୍ତ୍ତରେ ରାଜି ମଧ୍ୟ ହୋଇଥିଲେ । ତେବେ ଏହା ପରଠାରୁ ଗଙ୍ଗାଧର ନିଜ ମୋବାଇଲ୍‌ ସ୍ବିଚ୍‌ ଅଫ୍‌ କରିଦେଇଥିଲେ। ଗଙ୍ଗାଧରଙ୍କ ପରିବାର ଲୋକ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଫଳରେ ଚିକତ୍ସା ଅଭାବରୁ ଆଜି ସକାଳେ ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିଲା । ଏହା ପରେ ମଲାପୁଅକୁ ସାଙ୍ଗରେ ଆଣି ପୀଡ଼ିତା ଓ ତାଙ୍କ ମାଆ ଖଣ୍ଡଗିରି ଥାନା ଅଭିଯୋଗ କରିଥିଲେ ।