କନକବ୍ୟୁରୋ : ମୃତ ଝିଅର ଶବକୁ ଟ୍ରଲିରେ ଡାକ୍ତରଖାନା ବୋହିଲେ ବାପା । ଆତ୍ମହତ୍ୟା କରିଥିବା ଝିଅର ଶବକୁ ପୋଲିସ ଜବଦ କରିଥିଲା । ମାତ୍ର ବ୍ୟବଚ୍ଛେଦ ପାଇଁ ନେବାକୁ ପରିବାର ଲୋକଙ୍କୁ କହିଦେଇ ଚାଲିଗଲା । ଗରୀବ ଆଦିବାସୀ ବାପା ପାଖରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଟଙ୍କା ନଥିଲା । ଶେଷରେ ଗାଁରୁ ଜଣଙ୍କର ଟ୍ରଲି ମାଗି ଝିଅର ଶବକୁ ୬ କିଲୋମିଟର ବୋହି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡିଲା ।
ବାଲେଶ୍ବର ବାଲିଆପାଳ ଅଞ୍ଚଳରୁ ଆସିଛି ଏଭଳି ହୃଦୟ ବିଦାରକ ଘଟଣା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହିର ମଧୁ ବିନ୍ଧାଣୀଙ୍କ ଝିଅ ନନ୍ଦିନୀ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବଦ କରିବା ପରେ ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ଦାୟିତ୍ବ ଦେଇ ଚାଲିଯାଇଥିଲା । ତେବେ ମଧୁ ଅତ୍ୟନ୍ତ ଗରୀବ ହୋଇଥିବାରୁ ଆମ୍ବୁଲାନ୍ସରେ ଶବ ନେବା ସମ୍ଭବ ହୋଇନଥିଲା । ଶେଶରେ ଟ୍ରଲି ଝିଅର ଶବକୁ ବୋହି ଡାକ୍ତରଖାନା ପର୍ଯ୍ୟନ୍ତ ନେଇଥିଲେ ମଧୁ ବିନ୍ଧାଣୀ । ଘଟଣା ସାମ୍ନାକୁ ଆସିବା ପରେ ବାଲିଆପାଳ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।