କନକ ବ୍ୟୁରୋ: ବାଲିଗୁଡା ବାପ ପୁଅଙ୍କୁ ଏସିଡ୍ ମାଡ଼ ଘଟଣାର ପର୍ଦ୍ଦାଫାସ । ସାମ୍ନାକୁ ଆସିଲା ବାପା-ପୁଅଙ୍କୁ ଏସିଡ୍ ମାଡ଼ର ସତ । ନିଜ ଜନ୍ମକଲା ଝିଅ ହିଁ ବାପା ଓ ଭାଇକୁ ଏସିଡ୍ ଆକ୍ରମଣ କରିଥିବା ଜଣାପଡିଛି। 

Advertisment

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ବୁଢ଼ାକୁଦେଲ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ବାପା ପୁଅ ଏକାଠି ବାରଣ୍ଡାରେ ଶୋଇଥିବାବେଳେ କେହି ଜଣେ ଦୁର୍ବୃତ୍ତ ଏସିଡ୍ ମାଡ଼ କରି ଚାଲିଥିଲା । କିଏ ଓ କାହିଁକି ଏସିଡ୍ ଫିଙ୍ଗିଥିଲା ସେନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯା ଇଥିଲା । ଆକ୍ରମଣ ନେଇ ତୁମୁଡିବନ୍ଧ ଥାନାରେ ମାମଲା ରୁଜୁ ହେବା ସହ ହତ୍ୟା ପାଇଁ ଉଦ୍ୟମ ଓ ଏସିଡ ଭଳି ସଙ୍ଗିନ ଦଫାରେ ତଦନ୍ତ ଆରମ୍ଭ ହୋଇଥିଲା । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶରେ ବାଲିଗୁଡା ଏସଡ଼ିପିଓ କମଳ କାନ୍ତ ପଣ୍ଡାଙ୍କ ତଦନ୍ତ କରି ଘଟଣାର ପର୍ଦ୍ଦାଫାଶ କରିଛନ୍ତି। 

ଏସିଡ ମାଡ଼ରେ ଆହତ ମୋହନ କନ୍ଦରଙ୍କ ପ୍ରଥମ ସ୍ତ୍ରୀର ଝିଅ ଓ ତାର ପ୍ରେମିକକୁ ପୁଲିସ ଗିରଫ କରିଛି। ମୋହନଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇସାରିଥିବାବେଳେ ତାଙ୍କ ଝିଅ ସେହି ଗାଁର ଜଣେ ପୁଅ ବିଜୟ ମାଝୀକୁ ଭଲ ପାଇ ଆସୁଥିଲା । ବିଜୟଙ୍କ ମାଆଙ୍କ ୨ମାସ ତଳେ ମୃତ୍ୟୁ ହୋଇଥିଲା। ତେବେ ମୋହନ ଗୁଣିଗାରିଡ଼ି କରି ବିଜୟଙ୍କ ମାଆଙ୍କୁ ମାରିଥିବା ସନ୍ଦେହ କରିଥିଲେ ଝିଅ ଓ ତାଙ୍କ ପ୍ରେମିକ । ଯାହାକୁ ନେଇ ଦୁହେଁ  କଲିକତାରୁ ଏସିଡ ବୋତଲ କିଣି ମୋହନ କନ୍ଦରକୁ ଜୀବନରୁ ମାରିଦେବା ପାଇଁ କରିଥିଲେ ଷଡଯନ୍ତ୍ର । ଗତ ଶୁକ୍ରବାର ରାତିରେ ମୋହନ କନ୍ଦର ଓ ୧୨ ବର୍ଷର ପୁଅ ଅନୁଜ ବାରଣ୍ଡାରେ ଶୋଇଥିବାବେଳେ ଝିଅ ପୁଷ୍ପାଞ୍ଜଳି ଏସିଡରେ ଆକ୍ରମଣ କରିଥିଲେ। ବାପାଙ୍କୁ ମାରିବା ପାଇଁ ଝିଅ ଯୋଜନା କରିଥିବାବେଳେ, ସେଠାରେ ନିଜ ଭାଇ ଶୋଇଥିଲା ବୋଲି ଜାଣିପାରିନଥିଲା । ଦୁହିଁଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରଖି ଚିକିତ୍ସା କରାଯାଉଛି । ବାଲିଗୁଡା ଏସଡିପିଓ କମଳାକାନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।