କନକ ବ୍ୟୁରୋ: ପୁଣି ଅଶାନ୍ତ ପୁରୀ । ପୂର୍ବ ଶତ୍ରୁତାକୁ ନେଇ ବାପ-ପୁଅଙ୍କୁ ହତ୍ୟା । ସଦରଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ ଅଭାବନୀୟ ଘଟଣା । ଜାଗାବାଡ଼ିକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ରବି ସ୍ୱାଇଁ ଓ ତାଙ୍କ ପୁଅ ପ୍ରକାଶ ସ୍ୱାଇଁ । ମିଳିଥିବା ସୂଚନା ଅନୁସାରେ, ଜାଗା ବାଡିକୁ କେନ୍ଦ୍ର କରି ରବି ସ୍ୱାଇଁଙ୍କ ସହ ତାଙ୍କ ପଡ଼ୋଶୀ ଜଟି ପ୍ରଧାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ଅନେକ ସମୟରେ ଉଭୟ ପରିବାର ମଧ୍ୟରେ ବଚସା ଲାଗି ରହିଥିଲା । ଏହାକୁ ନେଇ ବୁଧବାର ସନ୍ଧ୍ୟାରେ ଗାଁରେ ଏକ ବୈଠକ ଚାଲିଥିଲା । ବୈଠକରେ ରବି ସ୍ୱାଇଁ ଓ ତାଙ୍କ ପୁଅ ପ୍ରକାଶ ସ୍ୱାଇଁଙ୍କ ସହ ଜଟି ପ୍ରଧାନଙ୍କର ବଚସା ହୋଇଥିଲା । ଆଉ ଜଟି ପ୍ରଧାନ ବୈଠକରୁ ଚାଲି ଆସିଥିଲା । ପରେ ଜଟି ପ୍ରଧାନ ଓ ତାଙ୍କର ପୁଅ ଜଗନ୍ନାଥ ପ୍ରଧାନ, ବଳଭଦ୍ର ପ୍ରଧାନ ଓ ଜଟିଙ୍କ ସ୍ତ୍ରୀ ଆସି ଧାରୁଆ ଅସ୍ତ୍ରରେ ରବି ଓ ତାଙ୍କ ପୁଅ ପ୍ରକାଶକୁ ଆକ୍ରମଣ କରିଥିଲେ । ଯାହାଫଳରେ ପ୍ରକାଶ ଓ ରବିଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ରବି ଓ ପ୍ରକାଶକୁ ଚିକିତ୍ସା ନିମନ୍ତେ ସଦରମୁଖ୍ୟ ଚିକିତ୍ସାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଖାନାରେ ଡାକ୍ତର ପ୍ରକାଶଙ୍କୁ ପ୍ରଥମେ ମୃତ ଘୋଷଣା କରିଥିବା ବେଳେ ରବିଙ୍କୁ କଟକ ସ୍ଥାନାନ୍ତର ପାଇଁ କୁହାଯାଇଥିଲା । ତେବେ କଟକ ମେଡିକାଲ ସ୍ଥାନାନ୍ତର ସମୟରେ ରବି ସ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି ।
ପୁଣି ଅଶାନ୍ତ ହେଲା ପୁରୀ: ସଦରଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ ବାପ-ପୁଅଙ୍କୁ ହାଣି ହତ୍ୟା
ପୁଣି ଅଶାନ୍ତ ପୁରୀ । ପୂର୍ବ ଶତ୍ରୁତାକୁ ନେଇ ବାପ-ପୁଅଙ୍କୁ ହତ୍ୟା । ସଦରଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ ଅଭାବନୀୟ ଘଟଣା । ଜାଗାବାଡ଼ିକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାପଡ଼ିଛି ।