କନକ ବ୍ୟୁରୋ : ଦ୍ବିତୀୟ ବିବାହ କରିବା ପାଇଁ ପୁଅକୁ ବାପା ହତ୍ୟା କରିଥିବା ଅଭିଯୋଗ। ଗତ ରାତିରୁ ନିଖୋଜ ଥିବା ୬ ବର୍ଷର ପୁଅକୁ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ଜେନାପୁର ଥାନା ଚାରଗୋଠ ଗାଁରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା। ଚାରଗୋଠ ଗାଁ ନିକଟ ଏକ ପଥର ଖାଦାନରୁ ମିଳିଛି ଶିଶୁର ମୃତଦେହ । ଆଉ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ଜେନାପୁର ପୁଲିସ ଓ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗାଁରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଚାରଗୋଠ ଗାଁର ବାଉରି ରାଉତଙ୍କ ୬ବର୍ଷର ପୁଅ କାଲି ଟିଉସନରୁ ଫେରିବା ପରେ ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲା । ରାତିରେ ଗାଁର ଲୋକ ଖୋଜା ଖୋଜି କରି ନିରାଶ ହେବା ପରେ ଜେନାପୁର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଆଜି ଗାଁରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ପିଲାଟିର ମୃତ ଦେହକୁ ଗାଁ ନିକଟ ଏକ ପରିତ୍ୟକ୍ତ ପଥର ଖାଦାନରୁ ଉଦ୍ଧାର କରିଛି । ବାପା ବାଉରି ରାଉତ ଦ୍ବିତୀୟ ବିବାହ କରିବା ପାଇଁ ଯୋଜନା କରି ପୁଅକୁ ହତ୍ୟା କରି ପଥର ଖାଦାନରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି । ଗାଁ ଲୋକ ଏନେଇ ଅଭିଯୋଗ ଆଣିବା ପରେ ଗାଁରେ ଚାପା ଉତ୍ତେଜନା ଲାଗିରହିଛି । ବାଉରି ରାଉତ ୭ ବର୍ଷ ତଳେ ବିବାହ କରିଥିଲେ । ତେବେ ପତ୍ନୀଙ୍କର ମାନସିକ ଅଵସ୍ଥା ଭଲ ନଥିବାରୁ ଅସନ୍ତୁଷ୍ଟ ଥିଲେ । ସ୍ତ୍ରୀ ଓ ପୁଅକୁ ରାସ୍ତାରୁ ହଟାଇ ଅନ୍ୟ ଏକ ବିବାହ କରିବାକୁ ଯୋଜନା କରି ଏଭଳି ଅମାନୁଷିକ କାଣ୍ଡ କରିଥିବା ଜଣାପଡିଛି ।