କନକବ୍ୟୁରୋ : ମହଙ୍ଗା ପଡିଲା ଚାକିରି ଦେବାକୁ କହି ଟଙ୍କା ନେବା । ନା ଚାକିରି ଦେଲେ ନା ଟଙ୍କା ଫେରାଇଲେ । ଅଭିଯୁକ୍ତକୁ ଧରିବା ପରେ ନିର୍ଘାତ ମାଡ଼ ମାରିଲେ ଚୂନ ବୋଳିଲେ ଲୋକେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ କପ୍ତିପଦା ଥାନା ଛୁଇଁପୋଷି ଗାଁରେ । କମ୍ପାନୀରେ ଚାକିରୀ କରାଇ ଦେବେ କହି ଗାଁ ଗାଁ ବୁଲି ନେଇଥିଲେ ଟଙ୍କା, ହେଲେ ଦେଲେ ନାହିଁ ଚାକିରୀ ।
ଆଉ ଆଜି ଗ୍ରାମର ଆଉ ଜଣେ ମହିଳାଙ୍କ ନିକଟରୁ ଟଙ୍କା ନେବାକୁ ଆସିଥିବା ବେଳେ ପଡିଲେ ଗ୍ରାମବାସୀଙ୍କ ହାବୁଡ଼ରେ। ଗ୍ରାମବାସୀ ଠକ ଯୁବକଙ୍କୁ ଧରି ନିର୍ଘାତ ମାଡ଼ ମାରିବା ସହିତ ମୁହଁରେ ବୋଳିଲେ ଚୂନ । ଏଗ୍ରୋ ଫାର୍ମା କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ବିନୋଦ ଜେନା ନାମକ ଜଣେ ଯୁବକ ଛୁଇଁପୋଷି ଗ୍ରାମର ୮ ରୁ ଅଧିକ ମହିଳାଙ୍କ ନିକଟରୁ ୨ ହଜାର ରୁ ଆରମ୍ଭ କରି ୫ ହଜାର ପର୍ଯ୍ୟନ୍ତ ଟଙ୍କା ନେଇଥିଲେ । ହେଲେ ଟଙ୍କା ନେବାର ୪ ମାସ ବିତି ଯାଇଥିଲେ ସୁଦ୍ଧା ଚାକିରୀ ଦେବା ଦୂର କଥା, ଧରା ଛୁଆଁ ଦେଇ ନ ଥିଲେ ।
କିନ୍ତୁ ଆଜି ପୁଣି ଉକ୍ତ ଗ୍ରାମର ଆଉ ଜଣେ ମହିଳାଙ୍କ ନିକଟକୁ ଟଙ୍କା ନେବାକୁ ଆସିଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଏହା ପରେ ଗ୍ରାମର ମହିଳାମାନେ ତାଙ୍କୁ କାବୁ କରିବା ସହିତ ନିର୍ଘାତ ମାଡ଼ ମାରିଥିଲେ ଓ ମୁହଁରେ ଚୂନ ବୋଳିଥିଲେ। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଠକ ଯୁବକଙ୍କୁ ଉଦ୍ଧାର କରିଛି ।