କନକବ୍ୟୁରୋ : କୌଶଳ ବିକାଶ ତାଲିମ ଓ କର୍ମ ନିଯୁକ୍ତି ନାମରେ ଠକେଇ । ତାମିଲନାଡୁରେ ଫସିଛନ୍ତି ଓଡ଼ିଆ ଝିଅ। ଝିଅକୁ ଫେରାଇ ଆଣିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଅଫିସ ଆଗରେ ବାପା ମାଆଙ୍କ ଗୁହାରି । ତାମିଲନାରେ ନିର୍ଯାତିତ ହେଉଛନ୍ତି ଝିଅ । ତେଣୁ ଜିଲ୍ଲାପାଳ ତୁରନ୍ତ ଝିଅକୁ ଫେରାଇ ଆଣି ଦିଅନ୍ତୁ । କୌଶଳ ବିକାଶ ତାଲିମ ପାଇଁ ତାମିଲନାଡୁ ପଠାଯାଇଥିବା ଲେଫ୍ରିପଡା ବ୍ଲକର ପ୍ରାୟ ୯୦ ଜଣ ଝିଅଙ୍କୁ ଫେରାଇ ଆଣିବା ପାଇଁ ଜିଲ୍ଲପାଳଙ୍କ ଅଫିସ ଆଗରେ ଧାରଣ ଦେଇଥିବା  ଅଭିଭାବକ ଏହିଭଳି ଆକୁଳ ନିବେଦନ କରିଛନ୍ତି  । 

Advertisment

ଅଭିଯୋଗ ହୋଇଛି ଯେ, ଲେଫ୍ରିପଡା ବ୍ଲକର ବିଭିନ୍ନ ପଚାଂୟତରୁ  ୯୦ ଜଣ ଝିଅ ଙ୍କୁ କମ୍ପୁଟର ତାଲିମ ନାଁ ରେ କଟକର ଏକ ତାଲିମ କେନ୍ଦ୍ରକୁ ନେଇ ୪୫ ଦିନିଆ ସିଲେଇ ତାଲିମ ପରେ ତାମିଲନାଡୁର ଏକ ପୋଷାକ ତିଆରି କାଂପନୀ ରେ ନିୟୋଜିତ କରାଯାଇଛି । ହେଲେ ସେଠାରେ ଝିଅମାନଙ୍କୁ ୮ ରୁ ୧୦ ଘଣ୍ଟା ଖଟା ଯାଉଛି  । ଦେହ ଅସୁସ୍ଥ ହେଲେ ମଧ୍ୟ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଉଥିବା, ଘରକୁ ଆସିବାକୁ ଚାହିଁଲେ ବି ଧମକ ଚମକ ଦେଇ ଛଡାଯାଉନଥିବା,

କାମ କରିବା ସମୟରେ ଭୁଲ ହେଲେ ଅଶ୍ଳୀଳ ଭାଷାରେ  ଗାଳିଗୁଳଜ କରାଯାଉଥିବା ଅଭିଯୋଗ ହୋଇଛି। ସେଥପାଇଁ ଝିଅମାନଙ୍କୁ ଫେରାଇ ଅଣାଯିବାକୁ ଆଗରୁ ଜିଲ୍ଲପାଳ ଓ ଲେଫ୍ରିପଡା ବିଡିଓ ଙ୍କୁ ଅନୁରୋଧ କରାଯାଇଥିଲା  ।  ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ଶେଷରେ ପରିବାର ଲୋକ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ପ୍ରଶାସନ  ତାଙ୍କ ଝିଅ ମାନଙ୍କୁ ଫେରାଇ ନଆଣିବେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି  ।