କନକବ୍ୟୁରୋ: ସୁନ୍ଦରଗଡ଼ରେ ନୂଆ ଧରଣର ଠକେଇ। ସୁଭଦ୍ରା ଓ ଭତ୍ତା ଆବେଦନ କରିଥିବା ହିତାଧିକାରୀଙ୍କ ଘରକୁ ଯାଇ ଦସ୍ତାବିଜ୍ ଯାଂଚ ଓ ଆଧାର ଲିଙ୍କ ହୋଇଛି କି ନାହିଁ ଜାଣିବା ଆଳରେ ଠକି ନେଉଛନ୍ତି ଠକ ।
ସାଥିରେ ନେଇ ଯାଇଥିବା ସ୍ୱାଇପ ମେସିନରେ ଆଧାର ନମ୍ବର ଦେଇ ଅଙ୍ଗୁଳି ଟିପ ନେଇ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଗରିବଙ୍କ ହଜାର ହଜାର ଟଙ୍କା ।
ଏପରି ଏକ ଠକେଇ ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲା ସଦରଥାନା ନିଆଲିପାଲି ଗାଁରୁ। ଗାଁର ସୁଷମା ମାଝୀ ଅଭିଯୋଗ କରିଛନ୍ତି, ତାଙ୍କ ଘରକୁ ଦୁଇ ଜଣ ଯୁବକ ଆସି ବ୍ଲକ କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଭତା ପାଇଁ ଆବେଦନ କରିଥିବାରୁ କାଗଜ ପତ୍ର ଯାଂଚ ପାଇଁ ଆସିଛୁ କହି ଆଧାରକାର୍ଡ ମାଗିଥିଲେ ।
ଏହା ପରେ ସ୍ୱାଇପ ମେସିନରେ ଆଧାରକାର୍ଡ ନମ୍ବର ପକାଇ ସୁଷମାଙ୍କର ଟିପ ମେସିନରେ ନେଇଥିଲେ । ଟିପ ନେଲା ପରେ ଦୁଇମାସ ପରେ ଭତା ହୋଇଯିବ କହି ଚାଲିଯାଇଥିଲେ , ତାଙ୍କ ଯିବା ପରେ ସୁଷମାଙ୍କ ଆକାଉଣ୍ଟରୁ ୯ ହଜାର ୯୦୦ ଟଙ୍କା କଟିଥିବା ମେସେଜ୍ ଆସିଥିଲା । ମେସେଜ୍ ଦେଖି ସୁଷମା ହତବାକ୍ ହୋଇଯାଇଥିଲେ ।
ସେ ଜାଣିପାରିଲେ ନାହିଁ ଟଙ୍କା କେମିତି ଉଠିଲା । ବିଧବା ସୁଷମା ଦିନମଜୁରି କରି ପରିବାର ପ୍ରତିପୋଷଣ କରିବା ସହିତ ଛୁଆପିଲାଙ୍କ ଭବିଷ୍ୟତ ପାଇଁ କିଛି ଟଙ୍କା ରଖିଥିଲେ । ଏନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।