କନକ ବ୍ୟୁରୋ: ବାଲେଶ୍ୱର ଭୋଗରାଇ ବ୍ଲକ ବିନ୍ଧାପଦ୍ମପୁରଠାରେ ଦୁର୍ଘଟଣା । ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହ । ମୃତକ ହେଲେ ଭୋଗରାଇ ବ୍ଲକ ବିନ୍ଧାପଦ୍ମପୁର ଗାଁର ଶିବଶଙ୍କର ପଣ୍ଡା । ରାତିରେ ପରିସ୍ରା ପାଇଁ ବାହାରକୁ ଯାଇଥିବା ବେଳେ ଏକ ବାଲି ବୋଝେଇ ଟ୍ରକ ତାଙ୍କୁ ଚାପି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକକୁ ଧରିବା ପାଇଁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

Advertisment

ସେପଟେ ଛୁଟି କାଟିବାକୁ ମାଲକାନଗିରି ଯିବା ବେଳେ ଗଛରେ ପିଟି ହେଲା କାର୍ । ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ବୈପାରିଗୁଡା ଥାନା ଚନ୍ଦ୍ରପଡ଼ା ଘାଟିରେ ଦୁର୍ଘଟଣା ଘଟିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ନୟାଗଡ଼ର ସୁଦୀପ୍ତ କୁମାର ସିଂ ସାମନ୍ତ ଖରାଛୁଟିରେ ମାଲକାନଗିରିରେ ରହୁଥିବା ବଡ଼ ଭାଇଙ୍କ ଘରକୁ ଯାଉଥିଲେ । କିନ୍ତୁ କାର ଭାରସାମ୍ୟ ହରାଇ ଗାଡ଼ିଟି ପିଟି ହେବାରୁ ସୁଦୀପ୍ତଙ୍କ ମା, ମାଇଁ ଶାଶୂ ଏବଂ ଜଣେ ବନ୍ଧୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ସୁଦୀପ୍ତଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ବୈପାରିଗୁଡା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ମୃତଦେହ ଉଦ୍ଧାର କରିଛନ୍ତି ।