କନକ ବ୍ୟୁରୋ : ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଚାଷୀ ପାଇଁ ଆଣିଦେଇଛି ଦୁଃଖ । ଶ୍ରାବଣ ଯାଇ ଭାଦ୍ରବ ଆସିଲା ପରେ ବି ବର୍ଷାର ଦେଖା ନାହିଁ । ଜମି ଶୁଖିଲା ପଡ଼ିଛି । ଜଳସେଚନର ବି ବିଶେଷ କିଛି ନଥିବାରୁ ମରୁଡ଼ି ଆଶଙ୍କା ଚାଷୀକୁ ଡରାଉଛି । ଯାହାକୁ ନେଇ ନବରଙ୍ଗପୁର, ଭଞ୍ଜନଗର ଓ କୋକସରାରୁ ଆସିଛି ଭିନ୍ନ ଦୃଶ୍ୟ । ବର୍ଷା ପାଇଁ ଲୋକ ପୂଜା କରୁଥିବାର ଦେଖିବାକୁ ମିଳିଛି । ଠାକୁର, ଠାକୁରାଣୀଙ୍କ ପାଖରେ ପୂଜା କରି ବର୍ଷାକୁ ଆବାହନ କରାଯାଉଛି ।

Advertisment

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ବର୍ଷା ଅଭାବ ଯୋଗୁଁ ଚାଷ ଜମି ଫାଟି ଆଁ କରିଛି । ବର୍ଷା ନାହିଁ, କେନାଲରେ ବି ପାଣି ଆସୁନି । ତେଣୁ ଚଳିତ ବର୍ଷର ଖରିଫ ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯିବାକୁ ବସିଛି । ଆଜି ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ସଇଡା ସମ୍ମୁଖରେ ଧାରଣ ହେଇଛନ୍ତି ସଇଡା, ପତ୍ରାପାଲି, ପରୁଆଭାଡି, ଖଣ୍ଡୋକଟା, ସିଙ୍କଲପୋଷ ଗାଁର ଚାଷୀ । ଏମାନେ ସମସ୍ତଙ୍କର ଗୋଟିଏ ଦାବି ଜମିକୁ ତୁରନ୍ତ ଜଳ ଯୋଗାଣ କରାଯାଉ । ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ବର୍ଷା ପାଇଁ ଗାଁ ଗାଁରେ ପୂଜାର୍ଚ୍ଚନା ଓ ବେଙ୍ଗୁଲି ନାଟ। ଶ୍ରାବଣ ସରିଗଲା ହେଲେ ବର୍ଷାର ଦେଖାନାହିଁ କହିଲେ ଚଳେ । ଆବଶ୍ୟକ ବର୍ଷା ହେଉନଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅଧାରେ ଅଟକି ରହିଛି । ଚାଷ ଜମି ଫାଟି ଆଁ କରିଛି । ଏଭଳି ପରିସ୍ଥିତିରେ ବର୍ଷାକୁ ଆବାହନ କରିବା ପାଇଁ ଗାଁ ଗାଁରେ ଠାକୁରାଣୀଙ୍କ ନିକଟରେ ହୋମ ଯଜ୍ଞ ଆୟୋଜନ କରାଯାଉଛି । କିଛି ସ୍ଥାନରେ ଗାଁର ପିଲାମାନେ ମୁହଁରେ ରଙ୍ଗ, କାଦୁଅ ବୋଳି ହାତରେ ଗଛ ଡାଳ ଧରି ‘ବେଙ୍ଗୁଲି ରାଣୀ, ଦେ ପାଣି’ କହି ଗୀତ ଗାଇ ନାଟ କରୁଥିବା ଦେଖିବାକୁ ମିଳିଛି । ମହିଳାମାନେ ଏହି ଦଳ ଉପରକୁ ହଳଦୀ ମିଶା ପାଣି ଫିଙ୍ଗୁଥିବା ନଜରକୁ ଆସିଛି । ଏଭଳି କଲେ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି ।