କନକବ୍ୟୁରୋ : କାମାକ୍ଷାନଗର ଆଳୁ ଚାଷୀ ଚିନ୍ତାରେ। ଖର୍ଚ୍ଚ ଅନୁସାରେ ଅମଳ ହେଲାନାହିଁ । ଯେତିକି ଅମଳ ହେଲା ତାକୁ ରଖିବାକୁ ନାହିଁ ଶୀତଳ ଭଣ୍ଡାର । ରାଜ୍ୟରେ ଆଳୁ ସଙ୍କଟ ରହିଥିବା ବେଳେ ଆଳୁ ଚାଷୀଙ୍କ ସରକାରୀ ପ୍ରତ୍ସାହନ ମିଳୁନି । ଯେଉଁଥିପାଇଁ ଚାଷୀ କ୍ଷତି ସହୁଛି । ଆଗାମୀ ଦିନରେ ଚାଷୀ ଆଉ ଆଳୁଚାଷ କରିବେ କି ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଢ଼େଙ୍କାନାଳ କାମାକ୍ଷାନଗର ଉପଖଣ୍ଡ ଆଳୁ ଚାଷୀ ଏବେ ଚିନ୍ତାରେ । ଅଧା ଆଳୁ କୁହୁଡ଼ି ନଷ୍ଟ କରିଦେଇଛି । ଯାହା ଅମଳ ହେଉଛି, ତାକୁ ସଂରକ୍ଷିତ କରିବାର ବ୍ୟବସ୍ଥା ନାହିଁ । ଶୀତଳ ଭଣ୍ଡାର ନଥିବାରୁ କମ୍ ଦରରେ ଆଳୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । କାମାକ୍ଷାନଗର ୧୨ଟି ଗାଁର ଶହଶହ ଏକର ଜମିରେ ଆଳୁ ଚାଷ ହୋଇଛି। ରାଜ୍ୟରେ ଆଳୁର ଚାହିଦା ରହିଛି । ଏଥିପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ।
ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ସହ ତୁ ତୁ ମେଁ ମେଁ ଚାଲିଛି । ଏପଟେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅମଳ ହେଉଥିବା ଆଳୁ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଉନାହିଁ। ସରକାରଙ୍କ ଅବହେଳା କାରଣରୁ ଉଭୟ ଚାଷୀ ଓ ଖାଉଟି ସଙ୍କଟରେ ପଡୁଛନ୍ତି ।
ଅନ୍ୟପଟେ ଜିଲ୍ଲାପାଳଙ୍କ ସହ ଏସମ୍ପର୍କରେ ଆଲୋଚନା କରି କାମାକ୍ଷାନଗରରେ ଉପୁଜିଥିବା ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଯଦି ସରକାରଙ୍କ ତରଫରୁ ଆଳୁ ସଂରକ୍ଷଣ ସୁବିଧା କରାଯାଆନ୍ତା ତେବେ ରାଜ୍ୟରେ ଉପୁଜୁଥିବା ଆଳୁ ସଙ୍କଟ ଦୂର ହୋଇପାରନ୍ତା ।