କନକ ବ୍ୟୁରୋ : ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ ।  ତିନି ଦଫା ଦାବି ନେଇ ଜିଲ୍ଲାର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି । ଚାଷୀ ଯେଉଁ ଦିନ ମଣ୍ଡିକୁ ଧାନ ଆଣିବ ସେହି ଦିନ ଧାନର ମାନ ପରୀକ୍ଷା ଏବଂ ଓଜନ କରାଯାଇ ଅନଲାଇନ ରେଜିଷ୍ଟେସନ କରାଯାଉ । ଚାଷୀ ଆଣିଥିବା ବସ୍ତାରେ ଧାନ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଉ । ଏଥିସହ ସରକାରଙ୍କ ଘୋଷଣା ମୁତାବକ ପ୍ରତି ମଣ୍ଡିରୁ ପ୍ରତିଦିନ ଯଥାଶୀଘ୍ର ୧ ହଜାର କୁଇଣ୍ଟାଲରୁ ଅଧିକ ଧାନ କିଣାଯାଉ । ଏହି ୩ଟି ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । 

Advertisment

ସେପଟେ ବାଲେଶ୍ୱର ଭୋଗରାଇରେ ଚଳିତ ବର୍ଷ ରବି ଧାନ କିଣାକୁ ନେଇ ସରକାରଙ୍କ ବ୍ୟବସ୍ଥାକୁ ବିରୋଧ ଜାରି ରହିଛି । କେବେ ସେବା ସମବାୟ ସମିତି ସମ୍ମୁଖରେ ତ କେବେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଛନ୍ତି ଚାଷୀ। ବ୍ଲକ ଭିତରେ ଜିଲ୍ଲାପାଳ, ବାହାରେ ଚାଷୀଙ୍କ ଧାରଣା । ସୂଚନା ଅନୁଯାୟୀ, ଚଳିତ ରବି ଋତୁରେ ପଞ୍ଜୀକୃତ ଚାଷୀଙ୍କୁ ଧାନ ବିକ୍ରୟ ପାଇଁ ଆସିଥିବା ଟୋକନର ପରିମାଣ ଓ ସମ୍ପୃକ୍ତ କୃଷି ସମବାୟ ସମିତିଙ୍କୁ ଧାନ କ୍ରୟ ସକାଶେ ଦିଆଯାଇଥିବା ଟାର୍ଗେଟ୍ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି । ତେଣୁ ଧାନ କିଣା ଠପ୍ ହୋଇଯାଇଛି । ଭୋଗରାଇର ପ୍ରାୟ ୧୦ହଜାରରୁ  ଅଧିକ ଚାଷୀଙ୍କ ଠାରୁ ୫ ଲକ୍ଷ କୁଇଣ୍ଟାଲ  ଅଧିକ ଧାନ ବିକ୍ରି ପାଇଁ ଟୋକନ ଆସିଛି। ହେଲେ ୧୮ ହଜାର ୫ ଶହ କୁଇଣ୍ଟାଲ  ଧାନ କିଣିବା ପାଇଁ ସେବା ସମବାୟ ସମିତିକୁ ଟାର୍ଗେଟ୍ ଆସିଛି । ଟୋକନ ଅନୁସାରେ, ଧାନ କିଣିବାକୁ ଦାବି କରି ବ୍ଲକ ସମ୍ମୁଖରେ ଗଣ ଧାରଣା ଦେଇଛନ୍ତି । ଅନ୍ୟପକ୍ଷରେ ସମ୍ପୃକ୍ତ ମିଲ୍ ମାଲିକମାନେ ଏଫକ୍ୟୁ  ମାନକୁ ନେଇ କୁଇଣ୍ଟାଲ  ପ୍ରତି ୭ କେଜିରୁ ଅଧିକ କଟନୀ ଛଟନି କରୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଭୋଗରାଇ ବ୍ଲକରେ  ୧୯ଟି ସେବା ସମବାୟ ସମିତି ସରକାରୀ ନିର୍ଦ୍ଦେଶ ଅନୁଯାୟୀ କେବଳ ମଣ୍ଡି ଉଦଘାଟନ କରି ହାତବାନ୍ଧି ବସିଛନ୍ତି । ବିଭିନ୍ନ ସମବାୟ ସମିତିରେ ଚାଷୀ ଅସନ୍ତୋଷ ଓ ପ୍ରତିବାଦ ଯୋଗୁଁ ଧାନ କିଣା ହୋଇପାରୁନାହିଁ।