କନକ ବ୍ୟୁରୋ: ସୁନ୍ଦରଗଡ଼ ଆର୍‌ସିଏମ୍‌ଏସ୍‌ରେ ସମସ୍ୟାରେ ପଡ଼ିଛନ୍ତି ଚାଷୀ । ୟୁରିଆ ସାର ପାଇଁ ସକାଳୁ ଧାଡ଼ି ଲଗାଇଥିବାବେଳେ ବିଳମ୍ୱିତ ରାତି ଯାଏଁ ଅପେକ୍ଷା କରି ରହିଛନ୍ତି ଚାଷୀ । କୋଳରେ ୪ ମାସର ଛୁଆକୁ ଧରି ଧାଡ଼ିରେ ଲାଗିଛନ୍ତି ମହିଳା ଚାଷୀ । ଟୋକନ୍ ପାଇଥିଲେ ବି ସାର ମିଳୁନାହିଁ । ୪ ଦିନ ଧାଡ଼ିରେ ଛିଡ଼ା ହେବା ପରେ, ଚାଷୀଙ୍କୁ ରାତି ଅନିଦ୍ରା ହେବାକୁ ପଡ଼ିଛି ।  

ରାତିସାରା ଜଗିବା ପରେ ସକାଳୁ ଗେଟ୍ ଖୋଲିବା ପୂର୍ବରୁ ଧାଡ଼ିରେ କାଗଜପତ୍ର ଥୋଇ ଅପେକ୍ଷା କରିଥିଲେ ସୁନ୍ଦରଗଡ଼ର ଚାଷୀ । ମାଲକାନଗିରିରେ ପରିସ୍ଥିତି ଆହୁରି ସାଙ୍ଘାତିକ । ସାର ମିଳୁନଥିବା ଅଭିଯୋଗରେ ମାଲକାନଗିରି ମାଥିଲିରେ ୩୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ ଚାଷୀ । ଲ୍ୟାମ୍ପ୍ସ କର୍ତ୍ତୃପକ୍ଷ ଗୋଟିଏ ବସ୍ତା ୟୁରିଆ ସାର ଦେଇ ଅନ୍‌ଲାଇନରେ ୫ ବସ୍ତା ଦର୍ଶାଉଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିବା ଅଦିବାସୀ ମହାସଂଘ, ଆଗକୁ ପରିଣାମ ଆହୁରି ଭୟାବହ ହେବ ବୋଲି ଚେତାବନୀ ଦେଇଛି । 

Advertisment


ରାଜ୍ୟରେ ଚାଷୀଙ୍କ ସାର ଆବଶ୍ୟକତା ପୂରଣ କରିପାରୁ ନାହାନ୍ତି ସରକାର, ଏପଟେ କୃଷିମନ୍ତ୍ରୀ କହିଛନ୍ତି ଯେ
ଯଦିଓ ସାରର ବ୍ୟବହାର ଫଳରେ ୨ରୁ ୩% ଉତ୍ପାଦନ ବଢୁଛି । କିନ୍ତୁ ସାର ବ୍ୟବହାର ଦ୍ୱାରା ମାଟିର ଉର୍ବରତା କମିଯାଉଛି । ତେଣୁ ଚାଷୀମାନେ ସାରର ପ୍ରୟୋଗ କମ୍ କରିବା ଉଚିତ୍ । ଅର୍ଗାନିକ ଫାର୍ମିଂ ଉପରେ ଚାଷୀ ଗୁରୁତ୍ୱ ଦିଅନ୍ତୁ । ସାର ଅଭାବ ନେଇ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଲେଖିଥିଲି । ଏହାପରେ କେନ୍ଦ୍ର ସରକାର କିଛି ସାର ପଠାଇଛନ୍ତି । 

କୁହାଯାଉଛି ଧାନର ଏମ୍‌ଏସ୍‌ପି ବୃଦ୍ଧି ପରେ ଧାନଚାଷ ପ୍ରତି ଆଗ୍ରହ ବଢ଼ିଛି । ହେଲେ ଚାଷୀଙ୍କ ଆବଶ୍ୟକତା ପୂରଣ କରିବାକୁ ସାର ଟାର୍ଗେଟ୍‌ ବଢ଼ାଇ ନାହାନ୍ତି ସରକାର । ମାଲକାନଗିରି ଜିଲ୍ଲା କଥା ଦେଖିଲେ, ୨୦୨୩ରେ ୩୯ ହଜାର ଚାଷୀ ପଞ୍ଜୀକରଣ କରିଥିବାବେଳେ, ଚଳିତବର୍ଷ ୪୬ ହଜାର ୫୦୦ ଚାଷୀ ପଞ୍ଜୀକରଣ କଲେଣି । ସେହି ଅନୁପାତରେ ସାର ଯୋଗାଣ ନହେଲେ ଖରିଫ ଧାନ ଉଜୁଡ଼ି ଯିବାର ଆଶଙ୍କା ଦେଖାଦେଇଛି ।