କନକ ବ୍ୟୁରୋ: ସାର ପାଇଁ ଚାଲିଛି ଚାଷୀଙ୍କ ସଂଘର୍ଷ । ଯୋଗାଣ କେନ୍ଦ୍ର ଆଗରେ ଚାଷୀଙ୍କ ଲମ୍ବା ଧାଡ଼ି ଲାଗିଛି । ଗଞ୍ଜାମ ଜିଲ୍ଲା ଆସିକାରେ ଚାଷୀଙ୍କ ସାର ଦୁଃଖ ଯାଉନି । ଗତକାଲି ମାଲକାନଗିରିରେ ବି ସାର କଳାବଜାରୀ ହେଉଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗତକାଲି ଚାଷୀମାନେ ରାସ୍ତା ଅବରୋଧ ବି କରିଥିଲେ । ଆଜି ଆସିକା ବହୁମୁଖୀ କେନ୍ଦ୍ର ସମବାୟ ସମିତି ସମ୍ମୁଖରେ ଚାଷୀମାନେ ଲମ୍ବା ଧାଡି ଲଗାଇଥିବା ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ସାର ବସ୍ତାଏ ପାଇଁ ଯୋଗାଣ କେନ୍ଦ୍ର ସମ୍ମୁଖରେ ଲମ୍ବା ଧାଡ଼ି ଲଗାଇଛନ୍ତି ଚାଷୀ । ଧାଡ଼ିରେ ନିଜ ନିଜର ଜୋତା ରଖି ଜଗି ରହିଛନ୍ତି । କେତେବେଳେ ପାଳି ଆସିବ, ବସ୍ତାଏ ସାର ନେଇ ନିଜ ଫସଲରେ ପକାଇବେ, ସେଥିପାଇଁ ଜଗି ରହିଛନ୍ତି ଚାଷୀ । ଏବେ ଧାନ ଚାଷ ପାଇଁ ୟୁରିଆ ସାର ଅଧିକ ଆବଶ୍ୟକ ଥିବା ବେଳେ ଗତ କିଛି ଦିନ ହେବ ସାରର କଳାବଜାରୀ ଚାଷୀଙ୍କ ସମସ୍ୟା ବଢ଼ାଇଛି ।

Advertisment

ମାଲକାନଗିରିରେ ରାତି ଅଧରେ ଚଢ଼ା ଦରରେ ବିକ୍ରି ହେଉଥିଲା ୟୁରିଆ । ୮୦୦ରୁ ୧ହଜାର ଟଙ୍କା ଦରରେ ୟୁରିଆ ସାର ବିକ୍ରି କରୁଥିଲେ ଡିଲର। ପ୍ରତିବାଦରେ ରାଜରାସ୍ତା ଅବରୋଧ କରିିଥିଲେ ମାଲକାନଗିରି ମୋଟୁ ଅଂଚଳର ଚାଷୀ । ଉପାନ୍ତ ଠାରୁ ଉପକୂଳ ସବୁଠି ସାରକୁ ନେଇ ସଂଗ୍ରାମ ଲାଗି ରହିଥିବା ବେଳେ ରାଜ୍ୟର ଶେଷ ସୀମା ମୋଟୁ ଅଞ୍ଚଳରେ ରାତି ଅଧିଆ ଚଢ଼ା ଦରରେ ୟୁରିଆ ସାରର କଳାବଜାରୀ ହେଉଥିବା ଜାଣି ଉତ୍ତେଜିତ ହୋଇଛନ୍ତି ଚାଷୀ । ପୁଶୁଗୁଡା ସ୍ଥିତ ଜ୍ୟୋତିର୍ମୟୀ ଆଣ୍ଡ ସୁଦର୍ଶନ ଟ୍ରେଡର୍ସ ନାମକ ଡିଲର ଗୋଦାମରେ ୟୁରିଆ ସାର ଗଚ୍ଛିତ ରଖି ସାରର କଳାବଜାରୀ କରୁଥିବା ଜାଣିବାକୁ ପାଇ ଚାଷୀ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ତେବେ ମୋଟୁ ପୁଲିସର ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା ବେଳେ ସାର ନପାଇ ଏବେ ବି ହଟହଟ୍ଟା ହୋଉଛନ୍ତି ଚାଷୀକୂଳ । ଆଜି ଗଞ୍ଜାମ ଜିଲ୍ଲାରୁ ଆସିଲା ସାର ସଂଗ୍ରାମର ବିକଳ ଚିତ୍ର ।