କନକ ବ୍ୟୁରୋ: ଏବେ ରାଜାର ପୁଅ ଆଉ ରାଜା ହେବନି, ଯିଏ ହକଦାର ଥିବ ସେ ହିଁ ରାଜା ବନିବ । ଏ ଲୋକ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କୋରାପୁଟ ଲମତାପୁଟଟ ବ୍ଲକର ଚଷା ପୁଅ ଧନପତି ସୀସା । ୨୦୨୨ ଓଏଏସ୍ ପରୀକ୍ଷାରେ ୬୬୬ ରାଙ୍କ୍ ରଖି ନିଜ ବାପା-ମାଆଙ୍କ ସହ ଗାଁର ଧନମଣି ପାଲଟିଯାଇଛନ୍ତି ଧନପତି । 
ଲମତାପୁଟ ତେନ୍ତୁଳିପଡ଼ା ଗ୍ରାମର  ଧନପତି ସୀସା । ବାପା ମାଆ ଉଭୟଙ୍କ ସହ ବଡ଼ ଭାଇ ବି ଚାଷ କାମ କରନ୍ତି । ମାତ୍ର ୫ ଏକର ଜମିରେ ଚାଷ କଲେ ପୂରା ପରିବାର ଚଳେ । ସଂଘର୍ଷ ଭିତରୁ ସଫଳତା ଆଣିପାରିଛନ୍ତି ଚାଷୀ ଘରର ସାନ ପୁଅ ଧନପତି ସୀସା ।

ଇଂଜିନିୟରିଂ ଚାକିରି ଛାଡ଼ି ଓଏଏସ ପ୍ରସ୍ତୁତି କରୁଥିଲେ । ପ୍ରଥମ ପ୍ରୟାସରେ ହିଁ ସଫଳତାର ଶିଖର ଛୁଇଁଛନ୍ତି ଓଏଏସ ଟପ୍ପର ଶ୍ୱେତାଶ୍ରୀ ମହାପାତ୍ର । ପ୍ରଶାସନିକ ପରୀକ୍ଷାରେ ସଫଳ ହେବା ପାଇଁ  କେବଳ ହାର୍ଡ ୱାର୍କ କଲେ ଚଳିବ ନାହିଁ, ସ୍ମାର୍ଟ ୱାର୍କ ନିହାତି ଜରୁରୀ ବୋଲି କୁହନ୍ତି ଶ୍ୱେତାଶ୍ରୀ । ବିନା ଛୁଟିରେ ପାଠ ପଢ଼ିବାକୁ ପଡିବ । ନିଜ ଭିତରେ ଆତ୍ମବିଶ୍ୱାସ ରଖି ଚେଷ୍ଟା ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି କହିଛନ୍ତି ଓଏଏସ୍ ଟପ୍ପର । ତେବେ ୨୦୨୨ ବର୍ଷର ଓଏଏସ୍‌ ରେଜଲ୍ଟ ପ୍ରକାଶିତ ହେବା ପରେ ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସୁଛି । ଟପ୍‌ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଥିବାବେଳେ ୨୦୨୨ ଓଏଏସ୍ ପରୀକ୍ଷାରେ ମୋଟ୍ ୬୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି ।