କନକ ବ୍ୟୁରୋ : ମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ । ରାଜରାସ୍ତାରେ ଧାନବସ୍ତା ରଖି ପ୍ରତିବାଦ । କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ କୋକଳବାରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା ଓ ଠିକ୍ ସମୟର ଧାନ ଉଠାଣ ଦାବିରେ କଟକ-କମଳାଡିହ ମୁଖ୍ୟ ରାସ୍ତାର କୋକଳବା ଛକ ନିକଟରେ ଧାନବସ୍ତା ରଖି ଚାଷୀମାନେ ରାସ୍ତାରୋକ କରିବା ସହ ମିଲରଙ୍କ ବିରୋଧରେ ନାରାବାଜି କରିଛନ୍ତି ।
ମଣ୍ଡିରେ କଟନୀ ଛଟନୀ ସହ ୭କେଜି ଧାନ କାଟିବାକୁ ବିରୋଧ କରିଛନ୍ତି ଚାଷୀ । ସମସ୍ତ ମଣ୍ଡିରେ ମିଲର୍ସଙ୍କ ଦାଦାଗିରି ଚାଳିଥିବା ବେଳେ ନରସିଂହପୁରରେ କ୍ଵିଣ୍ଟାଲ ପିଛା ୭ କେଜି କଟନୀ ଛଟନୀ ହେଉଥିବା ଅଭିଯୋଗ ହୋଇଛି । ୭ଟି ଗାଁର ଚାଷୀ ମାନେ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ନରସିଂହପୁର ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀ ଭବାନୀ ଖୁଣ୍ଟିଆ ପହଞ୍ଚି ଚାଷୀଙ୍କୁ ବୁଝସୁଝା କରିଛନ୍ତି ।