କନକ ବ୍ୟୁରୋ :  ସରକାରଙ୍କ ଧାର୍ଯ୍ୟ ତାରିଖ ଅନୁସାରେ ପଦ୍ମପୁରରେ ମଣ୍ଡି ଖୋଲିଛି । କିନ୍ତୁ ଖଳାରୁ ମଣ୍ଡିକୁ ଆସି ପାରୁନି ଧାନ । ଚାଷୀଙ୍କ ପାଇଁ କଂଟା ହୋଇଛି ଅଖା ଅଭାବ ଓ ଟୋକନ । ପାଖରେ ଅଖା ନାହିଁ । ତେଣୁ ଅମଳ ଧାନକୁ ପିଚୁ ରାସ୍ତାରେ ସୁଖାଇ ବସ୍ତା ଅପେକ୍ଷାର ଅଛନ୍ତି ଚାଷୀ। କିଏ ବସ୍ତା ଯୋଗାଇ ଦେବ ବୋଲି ସମବାୟ ସମିତିକୁ ପଚାରିଲେ ଉତ୍ତର ମିଳୁଛି ମିଲର ଦେବେ। ତେଣେ ମଣ୍ଡିକୁ ଆସୁନାହାନ୍ତି ମିଲର। ଏଭଳି ସ୍ଥିତିକୁ ନେଇ ଦୋ-ଛକିରେ ପଡ଼ିଛନ୍ତି ପାଇକମାଳ ଅଂଚଳ ହଜାର ହଜାର ଚାଷୀ ।

Advertisment

 ପଦ୍ମପୁର ଆରଏମସି ଅଧିନ ୯୧ କେନ୍ଦ୍ରରେ ଧାନ କିଣା ବ୍ୟବସ୍ଥା ହୋଇଛି । ୧୦ଟି ମଣ୍ଡିରେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କିଣାଯାଉଛି । ସେହିଭଳି ୮୧ଟି କେନ୍ଦ୍ର କୃଷି ସମବାୟ ସମିତି ଦ୍ୱାରା ପରିଚାଳିତ  ହେଉଛି । ପଦ୍ମପୁର ଅଂଚଳରେ ଅଧିକାଂଶ ଚାଷୀଙ୍କ ଧାନ ଅମଳ ହୋଇସାରିଛି । କିନ୍ତୁ ବିନା ଟୋକନରେ ଧାନ ମଣ୍ଡିକୁ ଆଣିବା ପାଇଁ ବାରଣ କରିଛନ୍ତି ସରକାର । ତେଣୁ ଚାଷୀ ଧାନକୁ ରାଜରାସ୍ତା କଡରେ ରଖି ଦିନ ରାତି ଧାନକୁ ଜଗି ରହିଛନ୍ତି । ଟୋକନ ଓ ଅଖା ସମସ୍ୟାକୁ ନେଇ ପାଇକମାଳ ଅଂଚଳ ଚାଷୀ ବରଗଡ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

ଚାଷୀଙ୍କ ଅଭିଯୋଗର ତର୍ଜମା କରି ଯାଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ।