କନକ ବ୍ୟୁରୋ : ତରଭୁଜରେ ପ୍ରଚୁର ଜଳୀୟ ଅଂଶ ରହିଛି । ଖରାଦିନେ ଏହା ଶରୀର ପାଇଁ ଭାରି ଉପକାରୀ । ଉପର ସବୁଜ ଓ ଭିତରେ ଲାଲରଙ୍ଗର ଏହି ଫଳ ଯିଏ ଖାଇଛି, ସିଏ ମଜା ଜାଣିଛି । ରାସ୍ତାକଡ଼ ହେଉ କି ଫଳ ଦୋକନ ସବୁଠି ଏବେ ତରଭୁଜର ପସରା । ଖରାଦିନେ ଏହା ଅଧିକ ମିଳିଥାଏ । ଏହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଋତୁକାଳୀନ ଫସଲ ଭାବେ ତରଭୁଜ କମ୍ ଦିନରେ ଭଲ ଅମଳ ହୁଏ । ଉଭୟ ଚାଷୀ ଓ ବ୍ୟବସାୟୀ ଭଲ ଲାଭ ପାଇଥାନ୍ତି । ଏବର୍ଷ ବୌଦ୍ଧ ରାମଗଡ଼ ଓ ପୋଲାମ ଗାଁରେ ପ୍ରଚୁର ପରିମାଣର ତରଭୁଜ ଚାଷ ହୋଇଛି । ୨୫୦ରୁ ଅଧିକ ଚାଷୀ ୪୦୦ ଏକରରୁ ଅଧିକ ଜମିରେ ତରଭୁଜ ଚାଷ କରିଛନ୍ତି । କେଜି ପ୍ରତି ୭- ୮ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି ଚାଷୀ । ରାସ୍ତାକଡ଼ରେ ଏହା ୧୨ରୁ ୧୫ ଟଙ୍କାରେ ବିକ୍ରି ହେଉଛି ।
ଗ୍ରୀଷ୍ମଋତୁରେ ତରଭୁଜର ଅଧିକ ଚାହିଦା ଥିବାରୁ ରାମଗଡ଼ ଓ ପୋଲାମ ଗାଁର ୯୦ ପ୍ରତିଶତ ଚାଷୀ ଏହି ଚାଷ କରନ୍ତି । ବର୍ଷର ଅନ୍ୟ ଋତୁରେ ଏହି ଗାଁର ଚାଷୀମାନେ ପରିବା ଚାଷ କରୁଥିବା ବେଳେ ଖରାଦିନ ଆସିଲେ ତରଭୁଜ ଚାଷ କରନ୍ତି । ଏଠାକାର ଚାଷୀ ଜୈବିକ ପ୍ରଣାଳୀରେ ଚାଷ କରୁଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରେ ଭଲ ଚାହିଦା ରହିଛି । ବାହାର ରାଜ୍ୟରୁ ବ୍ୟବସାୟୀମାନେ ଆସି ଏଠାକାର ଚାଷୀଙ୍କଠାରୁ ତରଭୁଜ କିଣି ନିଅନ୍ତି । ପ୍ରତିଦିନ ଏହି ଅଞ୍ଚଳରୁ ଟନ୍ ଟନ୍ ତରଭୁଜ ଓଡ଼ିଶାର ଅନ୍ୟ ଦିଲ୍ଲା ସମେତ ଆନ୍ଧ୍ର, ତେଲଙ୍ଗାନା, ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ରପ୍ତାନୀ ହେଉଛି । ଚାଷୀ ଦୁଇଟି ପ୍ରଜାତିର ତରଭୁଜ ଚାଷ କରୁଛନ୍ତି । ଧନୁଷ୍, ଯାହା ଗୋଲ ଆକୃତିର । ଆଉ ଗୋଟିଏ ହେଲା କିରଣ, ଯାହା ଲମ୍ବା ଆକୃତିର ।
ଚଳିତବର୍ଷ ତରୁଭୁଜ ଚାଷ ପାଇଁ ଜଳବାୟୁ ଠିକ୍ ଥିବାରୁ ଭଲ ଅମଳ ହୋଇଛି । ସରକାରଙ୍କ ପକ୍ଷରୁ ତରଭୁଜ ପାଇଁ ମଣ୍ଡି ବ୍ୟବସ୍ଥା କରାଗଲେ ଚାଷୀଙ୍କ ଆର୍ଥିକ ସ୍ଥିତ ଆହୁରି ସୁଦୃଢ଼ ହୋଇପାରନ୍ତା ।