କନକ ବ୍ୟୁରୋ: ଚାଷୀଙ୍କ କଷ୍ଟୋପାର୍ଜିତ ଶସ୍ୟକୁ ସହଜ ଓ ସୁଲଭ ମୁଲ୍ୟରେ ବିକିବା ପାଇଁ ସରକାର ମଣ୍ଡିର ବ୍ୟବସ୍ଥା କରିଛନ୍ତି। ଏବେ ଧାନ ଅମଳ ସମୟ। ସରକାରଙ୍କ ବିଧି ବ୍ୟବସ୍ଥାରେ ଧାନ ବିକି ଦୁଇପଇସା ଲାଭ ଆଶା ରଖିଛନ୍ତି ଚାଷୀ। ହେଲେ ସରକାର କରିଥିବା ବ୍ୟବସ୍ଥାରେ ଧାନ ବିକିବା ପାଇଁ ରାଜି ନୁହଁନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଚାଷୀ।

Advertisment

ସରକାରୀ ନିୟମରେ ଧାନ ବିକିବୁ ନାହିଁ। ଯେଉଁ ଧାନ ଏଫଏକ୍ୟୁ ମାନର ନୁହେଁ କହି ଲ୍ୟାମ୍ପସ୍ କି ସୋସାଇଟି ନେଉନାହିଁ। ସେହି ଧାନକୁ କିଣି ନେଉଛନ୍ତି ମିଲର। ତେଣୁ ମଣ୍ଡି ନୁହେଁ ମିଲରଙ୍କୁ ଧାନ ବିକ୍ରି କରିବାକୁ ପସନ୍ଦ କରୁଛନ୍ତି କୁଚିଣ୍ଡାର ଚାଷୀ। ମିଲରଙ୍କ କଟନି ଛଟନି କଥାରେ ରାଜି ହେଲେ ଧାନର ମାନ ବଢ଼ିଯାଉଛି। ମିଲରଙ୍କ ଜରିଆରେ ସିଧାସଳଖ ମିଲକୁ ଯାଉଛି। କୁଚିଣ୍ଡାର ପରୁଆଭାଡି ମଣ୍ଡିରୁ ଆସିଛି ଏଭଳି କିଛି ଖବର ।  

ମିଲର, କିଛି ଚାଷୀ ଓ ଆରଏମସି କର୍ମଚାରୀ ମଣ୍ଡିକୁ ମଣ୍ଡି ବୁଲି କଟନିଛଟନି ପାଇଁ ବୈଠକ କରୁଛନ୍ତି। ଚାଷୀଙ୍କୁ ପ୍ରଲୋଭିତ କରାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସରକାରୀ ନିୟମ ଅନୁସାରେ କ୍ରୟ ସଂସ୍ଥା ଚାଷୀଙ୍କ ଠାରୁ ଧାନ କିଣି ମିଲରଙ୍କୁ ଦେବ। ଏଠାରେ କିନ୍ତୁ ପୁରା ଓଲଟା। କୌଣସି ମଣ୍ଡିରେ ଧାନ ମାନ ନିର୍ଣ୍ଣୟ କରାଯାଉ ନଥିବା ସ୍ୱୀକାର କରିଛନ୍ତି ସମବାୟ ସମିତି କର୍ତ୍ତୃପକ୍ଷ ଓ ଆରଏମସି କର୍ମଚାରୀ। ଧାନ କିଣା ଚାଷୀ ଓ ମିଲରଙ୍କ ବୁଝାମଣାରେ ହେଉଥିବା କହିଛନ୍ତି ମଣ୍ଡି ଦାୟିତ୍ୱରେ ଥିବା ଏସଏଚଜି ସଦସ୍ୟା।

ତେବେ ସରକାର କୋଟି କୋଟି ଟଙ୍କା ଖର୍ଚ କରି ମଣ୍ଡିରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କୁଚିଣ୍ଡାରେ ସରକାରୀ ବିଧି ବ୍ୟବସ୍ଥାକୁ ସିଧାସଳଖ ପ୍ରତ୍ୟାଖାନ କରାଯାଇଛି।