କନକ ବ୍ୟୁରୋ : ଝାରୁସୁଗୁଡ଼ା ପାଉଁଶକୁ ନେଇ ରାଜନୀତିକ ବୟାନବାଜି ହୋଇଥିଲା । ଶାସକ ବିରୋଧୀ ରାଜପଥ କାମକୁ ନେଇ ପରସ୍ପରକୁ ଦୋଷାରୋପ କରିଥିଲେ । ବର୍ଷା ଯୋଗୁଁ ଝାରସୁଗୁଡ଼ାରେ ନିର୍ମାଣାଧୀନ ଜାତୀୟ ରାଜପଥ ୪୯ର ବାଇପାସ୍ ପ୍ରକଳ୍ପ କାର୍ଯ୍ୟରୁ ପାଉଁଶ ବୋହି ଚାଷୀଙ୍କ ଜମିରେ ମାଡ଼ିଗଲା । କିଛି ସ୍ଥାନରେ ପୋଖରୀ ହୁଡ଼ା ଭାଙ୍ଗି କ୍ଷେତରେ ବାଲି ଚରିଯାଇଛି । ୧ ଫୁଟରୁ ଅଧିକ ଉଚ୍ଚର ପାଉଁଶ ମାଡ଼ିଯାଇଥିବାରୁ ସେଠି ଆଉ ଚାଷ ସମ୍ଭବ ନୁହେଁ ବୋଲି କହୁଛନ୍ତି ଚାଷୀ । ୫ଟି ବ୍ଲକର ୬୫୯.୬ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏହାକୁ ନେଇ ଝାରସୁଗୁଡ଼ାର ରାଜନୈତିକ ବୟାନବାଜି ହୋଇଥିଲା । ସରକାର-ବିରୋଧୀ ଦୋଷ ଲଦାଲଦି ହୋଇଥିଲେ । ଆଉ ଏବେ କ୍ଷତିପୂରଣ ବାବଦରେ ଏକର ପିଛା ୩୪ଶହ ଟଙ୍କା କ୍ଷତିପୂରଣ ନିର୍ଦ୍ଧାରଣ କରି ରାଜସ୍ବ ବିଭାଗ ଉପହାସ କରିଥିବା ଅଭିଯୋଗ ଆଣିଛନ୍ତି ଚାଷୀ ।
କୃଷି ବିଭାଗର ରିପୋର୍ଟ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ ଅନୁସାରେ, କେବଳ ଝାରସୁଗୁଡ଼ା, କିର୍ମିରା ଓ କୋଲାବିରା ବ୍ଲକରେ ପାଉଁଶ ମାଡ଼ିଯିବାରୁ ୧୩୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଝାରସୁଗୁଡ଼ା ଓ କୋଲାବିରାରେ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ଅନ୍ୟପଟେ ଯୁଗ୍ମ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟକୁ ପଠାଇଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁପ୍ରକାର ତଦନ୍ତ ପରେ ବି ଚାଷୀକୁ ଉପଯୁକ୍ତ କ୍ଷତିପୂରଣ ଦେବାରେ କୁଣ୍ଠାବୋଧ କାହିଁକି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।