କନକ ବ୍ୟୁରୋ : ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ ହେବ ଚାଷୀ ସମାବେଶ । ଆସନ୍ତା ୮ ତାରିଖରେ ବରଗଡ଼ ସୋହେଲାରୁ ଚାଷୀ ସମାବେଶ ଜରିଆରେ ଏହି ଉତ୍ସବ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଧାନ ସଂଗ୍ରହ ପାଇଁ ପ୍ରତି ଜିଲ୍ଲାରେ ଚାଷୀ ସମାବେଶ ଉତ୍ସବ ପାଳନ କରାଯିବ । ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ଏହି ସମାବେଶରେ ଯୋଗ ଦେବେ ।
ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି । ବରଗଡ଼ ଜିଲ୍ଲାରୁ ୨୦ ତାରିଖରୁ ଧାନ କିଣା ଆରମ୍ଭ ହେବ । ବରଗଡ଼ର ସୋହେଲା ବଡ଼ ଚାଷୀ ସମାବେଶରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଏକଜୁଟ ହେବେ । ୮ ତାରିଖରୁ ଇନପୁଟ ସବସିଡ଼ି ମିଳିବା କାର୍ଯ୍ୟକ୍ରମ ସୋହେଲାରୁ ଆରମ୍ଭ ହେବ । ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟକୁ ଯିବ ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ ।
୧୫ ତାରିଖରୁ ପର୍ଯ୍ୟାୟ କ୍ରମେ ମିଳିବାକୁ ଥିବା ଟୋକେନର ଅବଧି ଗୋଟେ ମାସ ରହିବ । ଜିଲ୍ଲାପାଳ ମାନଙ୍କୁ ପାୱାର ଦିଆ ଯାଇଛି ସେମାନେ ଆଉ ୭ ଦିନ ବଢ଼େଇ ପାରିବେ । କଟଣୀ ଛଟନି ସମ୍ପୂର୍ଣ୍ଣ ବନ୍ଦ ହେବ । ସୀମାବର୍ତୀ ଜିଲ୍ଲା ଗୁଡିକରେ ଚେକିଂ କଡା କଡ଼ି କରାଯିବ । ସିସି ଟିଭି ଲଗାଯିବ ସହ ପେଟ୍ରୋଲିଂ କରାଯିବ । ବାହାର ଗାଡି ଯେମିତି ପ୍ରବେଶ କରିବ ନାହିଁ ସବୁ ଗାଡ଼ି ଚେକିଂ କରାଯିବ ।