କନକ ବ୍ୟୁରୋ: ବର୍ଷାଋତୁ ପୂର୍ବରୁ ଚାଷୀଙ୍କୁ ମିଳୁନି ସାର । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଲ୍ୟାମ୍ପସରୁ ଚାଷୀ ବାରମ୍ବାର ହତାଶ ହୋଇ ଫେରୁଛନ୍ତି । କେବଳ ସାର ଯୋଗାଣ ନୁହେଁ, ବିଭିନ୍ନ କ୍ଷେତ୍ରରେ ଅନିୟମିତତା ନେଇ କୋଡ଼ିଙ୍ଗା ଲ୍ୟାମ୍ପସ୍ ଏମଡି ସୁଶାନ୍ତ ଖରାଙ୍କ ବିରୋଧରେ ଅସନ୍ତୋଷ ତେଜୁଛି ।

Advertisment
  • ଚାଷୀଙ୍କୁ ମିଳୁନି ସାର
  • ଲ୍ୟାମ୍ପସ୍ ଏମଡିଙ୍କ ମନମାନି 

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଲ୍ୟାମ୍ପସ୍ ବିରୋଧରେ ଲମ୍ବା ଅଭିଯୋଗ ଆସିଛି । ଚାଷୀ ସାର ପାଇଁ ଗଲେ ପରିଚାଳନା ନିର୍ଦ୍ଦେଶକ ବା ଏମଡି ନଥିବା କହି ଫେରାଇ ଦିଆଯାଉଛି । ଆଉ କେବେ ସାର ସରିଯାଇଥିବା କହି ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ ବାହାରୁ ଅଧିକ ଦରରେ ସାର କିଣିବାକୁ ପଡୁଛି । ଏଥିପାଇଁ ଚାଷୀ ଅଯଥା ଖର୍ଚ୍ଚାନ୍ତ ହେଉଥିବା କହିଛନ୍ତି । 

କେବଳ ସାର ବିକ୍ରିରେ ନୁହେଁ, କୋଡ଼ିଙ୍ଗା ଲ୍ୟାମ୍ପସ୍ ଏମଡି ସୁଶାନ୍ତ ଖରା ଏଠାରେ ଦୀର୍ଘଦିନ ରହି ବିଭିନ୍ନ କ୍ଷେତ୍ରରେ ଅନିୟମିତତା କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । କୋଡ଼ିଙ୍ଗା ସମବାୟ ସମିତିର ପରିଚାଳନା ପରିଷଦ ଗଠନ ପାଇଁ ନିର୍ବାଚନ ନକରି ମନଇଚ୍ଛା କାମ କରାଯାଉଛି । ଏହା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି । ତେବେ ତାଙ୍କ ପାଖକୁ  କିଛି ନିର୍ଦ୍ଦେଶ  ଆସିନଥିବା କହିଛନ୍ତି ଡି.ଆର.ସି.ଏସ. ।

ଚାଷୀଙ୍କ ଉନ୍ନତି ପାଇଁ ସରକାର ସମବାୟ ସମିତି ଦ୍ବାରା ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଲ୍ୟାମ୍ପସରେ ଅବ୍ୟବସ୍ଥା ଓ ଅନିୟମିତତା ଯୋଗୁ ଚାଷୀଙ୍କୁ ହତାଶ ହେବାକୁ ପଡୁଛି  ।