କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କ ଦୁଃଖ କହିଲେ ନସରେ । ବର୍ଷା ଆରମ୍ଭରୁ ପାଉଁଶ ମାଡ଼ି ଯିବାରୁ ଧାନ ଫସଲ ନଷ୍ଟ ହୋଇଥିଲା । ସେଥିରୁ ବର୍ତ୍ତିଯାଇଥିବା ଧାନ ଫସଲ ଉପରେ ଦାଉ ସାଧିଲା ଲଗାଣ ବର୍ଷା । ଏବେ ଫସଲରେ ଲାଗିଛି ରୋଗପୋକ । କୋଲାବିରା ବ୍ଲକର ୨୦୦ ଏକର ଫସଲ ନଷ୍ଟ ହୋଇଥିବା ଅଭିଯୋଗ ଆସିଛି । ଲଗାଣ ବର୍ଷା ପରେ କ୍ଷେତରେ ଶୋଇଯାଇଛି ଧାନ କେଣ୍ଡା । ପାଣିରେ ପଡ଼ି ପଡ଼ି ଏବେ କ୍ଷେତରେ ଗଜା ହେଉଛି ଧାନ । ଯେଉଁ କ୍ଷେତରୁ ପାଣି ଛାଡ଼ିଯାଇଛି, ସେଠି ନଳୀ ପୋକ ଓ ଚକଡ଼ା ପୋକ ଆତଙ୍କ । ଧାନ କେଣ୍ଡାର ମୂଳକୁ ନଳିପୋକ କାଟି ଦେଉଥିବାରୁ ଧାନ କେଣ୍ଡାଟି ଅପରିପକ୍ୱ ହୋଇ ରହିଯାଉଛି । ଧାନକେଣ୍ଡା ଛିଣ୍ଡି ତଳେ ପଡ଼ିଯାଉଛି । ଧାନ ଅମଳ ହେବାକୁ ୨୦ରୁ ୨୫ ଦିନ ଥିବା ବେଳେ ପୋକ ଲାଗି ଫସଲ ନଷ୍ଟ ହେଉଛି । ରୋଗପୋକ ଯୋଗୁ କୋଲାବିରା ବ୍ଲକର ୨୦୦ ଏକର ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଲଗାଣ ବର୍ଷା, ସାର ଅଭାବ ଓ ରୋଗ ପୋକ ଆତଙ୍କ, ଝାରସୁଗୁଡ଼ା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଗତ ଜୁଲାଇ ମାସରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । ୬୦୦ ହେକ୍ଟର ଜମିର ଧାନ ନଷ୍ଟ ହୋଇଥିବା ରିପୋର୍ଟ ଦେଇଛି କୃଷି ବିଭାଗ । ଏବେ ଅମଳ ସମୟରେ ନଳିପୋକ ଓ ଚକଡ଼ା ପୋକ ଚାଷ ଉଜୁଡ଼ି ଦେବାକୁ ବସିଛି । ବଜାରରେ ମିଳୁଥିବା ଔଷଧ ଆଣି ସିଞ୍ଚନ କଲେ ମଧ୍ୟ କାମ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ରୋଗପୋକ ଦମନ ପାଇଁ କୃଷି ବିଭାଗ ସହାୟତାର ହାତ ବଢ଼ାଇବା ସହ ଜିଲ୍ଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।