କନକ ବ୍ୟୁରୋ: ଜଗତସିଂହପୁର ପରିବା ଚାଷୀ ମୁଣ୍ଡରେ ଚଡକ। ହଜାର ହଜାର ହେକ୍ଟର ଜମିରେ ପନିପରିବା ଚାଷ ହୋଇଛି। ହେଲେ ତାକୁ ସାଇତି ରଖିବାକୁ ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ। ଫଳରେ ଅମଳ ପରିବା ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ।
ଜଗତସିଂହପୁର ଏକ କୃଷି ପ୍ରଧାନ ଜିଲ୍ଲା। ଖରିଫ ଓ ରବି ଫସଲ ସହ ପନିପରିବା ଚାଷ କରନ୍ତି ଅଧିକାଂଶ ଚାଷୀ। ଚଳିତ ବର୍ଷ ଟମାଟୋ, ବାଇଗଣ, କଖାରୁ, ଝୁଡଙ୍ଗ, ଲଙ୍କା ଓ ସିମ୍ବ ଆଦି ବିଭିନ୍ନ ପନିପରିବା ଚାଷ କରିଛି। ଫସଲ ବି ଭଲ ହୋଇଛି। ହେଲେ ଅମଳ ଫସଲକୁ ସାଇତି ରଖିବାକୁ ଶୀତଳ ଭଣ୍ଡାର ନାହିଁ। ତେଣୁ ପରିବା ନଷ୍ଟ ହୋଇଯିବା ଭୟରେ ଅତି କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଟମାଟୋ ନତୋଳୁ ଜମିରେ ହିଁ ଛାଡ଼ି ଦେଉଛନ୍ତି।
ଜିଲ୍ଲା ସଦର ମହାକୁମା ଅନ୍ତର୍ଗତ ଯୋଗଧାରୀ ଠାରେ ୧୯୭୨ରେ ଏକ ସରକାରୀ ଶୀତଳ ଭଣ୍ଡାର କରାଯାଇଥିଲା। ୧୯୯୯ ମହାବାତ୍ୟାରେ ତାହା ଭାଙ୍ଗଯିବା ପରେ ଆଉ ମରାମତି କରାଯାଇନାହିଁ। ରଘୁନାଥପୁରରେ ମଧ୍ୟ ଏକ ଘରୋଇ ଶୀତଳ ଭଣ୍ଡାର ବ୍ୟବସାୟିକ କ୍ଷତି ଯୋଗୁଁ ବନ୍ଦ ପଡ଼ିଛି। ଏପଟେ ଜିଲ୍ଲାରେ ଖୁବଶୀଘ୍ର ଶୀତଳ ଭଣ୍ଡାର ଖୋଲିବାକୁ ସରକାର ଯୋଜନା କରୁଥିବା କହିଛନ୍ତି ଜିଲ୍ଲାପାଳ। ଜଗତସିଂହପୁର ଜିଲ୍ଲାର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ସାଧାରଣରେ ଦାବି କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/14/OJxZvB0KcgWTGilkyiPp.jpg)