କନକବ୍ୟୁରୋ : ଗଜପତି ଜିଲ୍ଲାରେ ଧାନ ସଂଗ୍ରହରେ ଅବହେଳା ଯୋଗୁଁ ତାତିଲେ ଚାଷୀ । ରାସ୍ତାରୋକ କରିବା ସହ ଆନ୍ଦୋଳନକୁ ଓଲାଇଛନ୍ତି। ଏଭଳିକି ଯୋଗାଣ ଅଧିକାରୀ ଏବଂ ପାରଳାଖେମୁଣ୍ଡି ତହସିଲଦାରଙ୍କୁ ରାସ୍ତା ଉପରେ ବସିବାକୁ ବାଧ୍ୟ କରିଦେଇଛନ୍ତି । ଗୋଟିଏ ପଟେ ଅଦିନିଆ ବର୍ଷାରେ ଧାନ ନଷ୍ଟ ହେବା ସହ ଗଜା ହୋଇଛି । ରଙ୍ଗ ମଧ୍ୟ ବଦଳି ଯାଇଛି । ଅନ୍ୟପଟେ ମଣ୍ଡି ଗତ ୭ତାରିଖରୁ ଖୋଲାଯାଇଛି। କୌଣସି ମଣ୍ଡିରେ ଧାନ ସଂଗ୍ରହ ହୋଇପାରିନାହିଁ। ଧାନର ମାନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଚାଷୀ ।
ବେରଙ୍ଗୀ ଧାନ ସଂଗ୍ରହ ସରକାର ଗ୍ରହଣ କରିବେ କି ନାହିଁ। ଏହି ଧାନ ପାଇଁ ଭିନ୍ନ କିଛି ମୂଲ୍ୟ ଧର୍ଯ୍ୟ କରାଯିବ କି? ସେନେଇ କୌଣସି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇ ନାହିଁ। ତେଣୁ ବର୍ତ୍ତମାନ ଚାଷୀ ସନ୍ଦେହରେ ପଡ଼ିଛନ୍ତି । ପ୍ରାକୃତିକ ବିପର୍ଯଯ୍ୟ ଯୋଗୁଁ ଧାନର ରଙ୍ଗ ବଦଳି ଯାଇଥିବାରୁ ସରକାର ଏହାର ବ୍ୟବସ୍ଥା କରିବା ପାଇଁ ଗଜପତି ଚାଷୀ ଦାବି କରିଛନ୍ତି ।
ଆଜି ଗୋଶାଣୀ ବ୍ଲକ ସାତମାଇଲ ଛକ ନିକଟରେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଛନ୍ତି। ମୋହନା ଓ ପାରଳାଖେମୁଣ୍ଡି ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଯୋଗଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ଘଟଣା ସ୍ଥଳରେ ଯୋଗାଣ ଆଧିକାରୀ ଓ ପାରଳାଖେମୁଣ୍ଡି ତହସିଲଦାର, ଗୁରାଣ୍ଡି ଥାନା ପୋଲିସ, ପାରଳାଖେମୁଣ୍ଡିଏସ୍ଡିପିଓ ପହଁଚି ଚାଷୀଙ୍କୁ ବୁଝାସୁଝା କରିବାକୁ ପ୍ରାୟସ କରିଥିଲେ । କିନ୍ତୁ କୌଣସି ସନ୍ତୋଷଜନକ ପ୍ରତିଶ୍ରୁତି ନମିଳିବାରୁ ଚାଷୀ ଅସନ୍ତୋଷ କମୁନାହିଁ। ଶେଷରେ ଚାଷୀଙ୍କ ଆକ୍ରୋସର ଶିକାର ହୋଇ ରାସ୍ତା ଉପରେ ବସିବାକୁ ବାଧ୍ୟ ହୋଇଥିଲେ ।