କନକ ବ୍ୟୁରୋ :  ଗୁଣୁପୁର କୃଷି ଜିଲ୍ଲାର ୨୫ ହଜାର ୯୧୨ ହେକ୍ଟର ଜମିରେ କପା ଚାଷ ହୋଇଛି । କପା ଅମଳ କଲେଣି ଚାଷୀ । ଚାଷ ପାଇଁ ଆଣିଥିବା ଋଣ ପରିଶୋଧ କରିବା ସମୟ ବି ହେଲାଣି । ତେଣୁ ଅମଳ କପାକୁ ବିକିବାକୁ ଚାତକ ପରି ଚାହିଁଛନ୍ତି । ପ୍ରତିବର୍ଷ ଉତ୍ପାଦିତ କପାକୁ ମଣ୍ଡି ମାଧ୍ୟମରେ ଭାରତୀୟ କପା ନିଗମକୁ ବିକ୍ରି କରିଥାନ୍ତି ଚାଷୀ । ହେଲେ ଚଳିତ ବର୍ଷ ମଣ୍ଡି ଖୋଲି ନାହିଁ କି କପା କିଣା ବିକା ହେଉନାହିଁ । ତେଣୁ ଅମଳ କପାକୁ ସୁରକ୍ଷିତ ରଖିବା ଯେତିକି ଚିନ୍ତାଜନକ, ଋଣ ପରିଶୋଧ କରିବା ତା'ଠାରୁ ଅଧିକ କଷ୍ଟକର ବୋଲି କହିଛନ୍ତି ଚାଷୀ।

Advertisment

 ଗୁଣୁପୁରରେ ୭୩୯୧, ପଦ୍ମପୁରରେ ୪୧୫୦, ଗୁଡ଼ାରୀରେ ୩୭୩୭ ଓ ରାମନାଗୁଡାରେ ସର୍ବାଧିକ ୧୦ହଜାର ୬୭୪ ହେକ୍ଟର ଜମିରେ କପା ଚାଷ କରିଛନ୍ତି ଚାଷୀ। ଉତ୍ପାଦିତ କପା କ୍ରୟ ଲାଗି ନଭେମ୍ବର ୨୬ରୁ ମଣ୍ଡି ଖୋଲିବାକୁ ନିଷ୍ପତି ହୋଇଥିଲା । ଏହାରି ଭିତରେ ୧୦ଦିନ ବିତି ଯାଇଥିଲେ ମଧ୍ୟ ଗୁଣୁପୁରରେ କପା ମଣ୍ଡି ଖୋଲିନାହିଁ । ଯାହାର ଫାଇଦା ଉଠାଇ ଚାଷୀଙ୍କ ଦୁଆରେ ପହଞ୍ଚି ଯାଉଛନ୍ତି ରାଜ୍ୟ ବାହାରର ଅସାଧୁ ବ୍ୟବସାୟୀ । କପାର ସରକାରୀ ମୂଲ୍ୟ କ୍ୱିଣ୍ଟାଲ ପିଛା ୭୫୨୧ ଟଙ୍କା ରହିଥିବା ବେଳେ ବ୍ୟବସାୟୀ ତା'ଠାରୁ ଢେର କମ ମୂଲ୍ୟରେ କିଣି ନେଉଛନ୍ତି । ମଣ୍ଡି ଖୋଲିବାରେ ବିଳମ୍ୱକୁ ସ୍ୱୀକାର କରିଛନ୍ତି ଗୁଣୁପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଦଳପତି କାର୍ଜୀ । 

 ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ କପା ମଣ୍ଡି ଖୋଲିବାର ଆବଶ୍ୟକତା ରହିଛି।