କନକ ବ୍ୟୁରୋ: ଧାନ ଚାଷୀଙ୍କୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ଦାନା । ବିଲରେ କେଉଁଠି ପାଚିଲା ଧାନ ଖେଳୁଛି ତ କେଉଁଠି ଅଧା ଥୋଡ଼ ବାହାରିଛି । ହେଲେ ବାତ୍ୟା ହେଲେ ଏକର ଏକର ଧାନ ଫସଲ ନଷ୍ଟ ହୋଇଯିବ । ଏହା ଜାଣି ଚାଷୀ ପେଟକୁ ମୁଠାଏ ଦାନା ଯାଉନି । ଫସଲ ଅମଳ ନହେଲେ ଋଣ କେମିତି ଶୁଝା ହେବ, ଘର ଚଳିବ କେମିତି ? ଏହାକୁ ନେଇ ଚିନ୍ତାରେ ଚାଷୀ ।
୨୪ରେ ଉପକୂଳ ଛୁଇଁବ ବାତ୍ୟା ‘ଦାନା’ । ପୁରୀ ଜିଲ୍ଲାର କଣାସ ଓ ସତ୍ୟବାଦୀ ବ୍ଲକର ଶହ ଶହ ଚାଷୀ ଏନେଇ ଚିନ୍ତାରେ । ଖରା ବର୍ଷାକୁ ଖାତିର ନକରି ଧାର ଉଧାର କରି ଧାନ ଚାଷ କରିଛନ୍ତି ଚାଷୀ । ଗର୍ଭଣା ସଂକ୍ରାନ୍ତି ପରେ ଅନେକ ବିଲରେ ଧାନ ପେଣ୍ଡା ପଡି ସାରିଲାଣି । ୧୫ ଦିନରେ ଧାନ ଅମଳ ପ୍ରକ୍ରିୟା ଆରମ୍ଭ ହୋଇଥାନ୍ତା । ହେଲେ ଏବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ଚାଷୀ । ବାତ୍ୟା ହେଲେ ନଷ୍ଟ ହୋଇଯିବ ଏକର ଏକର ଧାନ ଫସଲ । ଏପରି ସ୍ଥିତିରେ କେମିତି ଶୁଝିବେ ଋଣ, ସେନେଇ ଚିନ୍ତାରେ ଚାଷୀ ।
ସମାନ ପରିସ୍ଥିତି ଦେଖିବାକୁ ମିଳିଛି ଉତ୍ତର ବାଲେଶ୍ବରରେ । ଏଠାକାର ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭର କରନ୍ତି । ଏଥିରୁ ହିଁ ସେମାନେ ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି । ଚଳିତ ବର୍ଷ ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟାରେ ନଷ୍ଟ ହୋଇଗଲା ଧାନ ଚାଷ । ଏବେ ପୁଣି ବାତ୍ୟା । ଉତ୍ତର ବାଲେଶ୍ୱରର ବସ୍ତା, ବାଲିଆପାଳ, ଜଳେଶ୍ୱର ଭୋଗରାଇ ଅଞ୍ଚଳରେ ପାଖାପାଖି ୭ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଛି । ବାତ୍ୟା ହେଲେ, ଧାନ ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଓଡିଶାରେ ପ୍ରତିବର୍ଷ ବାତ୍ୟା ବହୁ କ୍ଷୟକ୍ଷତି କରିଥାଏ । ବାତ୍ୟାରେ କିଛି କ୍ଷୟକ୍ଷତି ହେଲେ, ସରକାର ଏହାର କ୍ଷତିପୂରଣ ଦେବେ କି ନାହିଁ ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ ।
‘ଦାନା’ ବଢ଼ାଇଲା ଚାଷୀଙ୍କ ଚିନ୍ତା । ଫସଲ ଅମଳ ନହେଲେ, କେମିତି ଶୁଝିବେ ଋଣ ?
ଧାନ ଚାଷୀଙ୍କୁ ଡ଼ରାଇଲାଣି ସାମ୍ଭବ୍ୟ ବାତ୍ୟା ଦାନା । ବାତ୍ୟା ହେଲେ ଏକର ଏକର ଧାନ ଫସଲ ନଷ୍ଟ ହୋଇଯିବ । ଏହା ଜାଣି ଚାଷୀ ପେଟକୁ ମୁଠାଏ ଦାନା ଯାଉନି ।