କନକ ବ୍ୟୁରୋ : ଦେବଗଡ଼ର ଚାଷୀ ଧାନ ଚାଷ ଉପରେ ନୀର୍ଭରଶୀଳ । ପାଣିପାଗ ପରିବର୍ତ୍ତନ ଫଳରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଏ ବର୍ଷ କୃଷି କାର୍ଯ୍ୟ ପ୍ରଭାବିତ ହୋଇଛି । ପାଣି ଅଭାବରୁ ଚାଷୀଙ୍କ ଆଶା ମଉଳି ଯିବାକୁ ବସିଛି । ରିଆମାଳ ବ୍ଲକର ମଲେହିପଡା ଓ ଆଡସ ପଞ୍ଚାୟତରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । କିଛି କିଛି ଅଞ୍ଚଳରେ ମରୁଡିର ପଦଧ୍ୱନୀ ଦେଖିବାକୁ ମିଳିଛି ।
ପ୍ରଥମେ ବିଳମ୍ବିତ ବର୍ଷା । ଦେବଗଡ଼ ଜିଲ୍ଲାର ଅନେକ ଅଞ୍ଚଳରେ ଚାଷୀ ବିଳମ୍ବରେ ଚାଷ କାମ ଆରମ୍ଭ କରିଥିଲେ । କିଛି ସ୍ଥାନରେ ରୁଆ କାର୍ଯ୍ୟ ବିଲକୁଲ ହୋଇପାରିନାହିଁ । ଯେଉଁ ଜମିରେ ଧାନ ରୁଆ ହୋଇଛି, ସେ ଜମି ଏବେ ଫାଟି ଆଁ କରିଛି । ରିଆମାଳ ବ୍ଲକରେ ୧୨ହଜାର ୨୫୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଏବେ ପାଣି ଅଭାବରୁ ୧୦୦ରୁ ଉର୍ଦ୍ଧ ହେକ୍ଟର ଜମିରେ ଚାଷ ଉଜୁଡ଼ିଯିବାକୁ ବସିଛି ।
ସ୍ୱଳ୍ପ ବୃଷ୍ଟିପାତ କାରଣରୁ ମଲେହିପଡ଼ା ଓ ଆଡ଼ସ ପଞ୍ଚାୟତରେ ଜମି ଫାଟି ଆଁ କରିଛି । ଧାନ ବିଲରେ ଗୋରୁ ଚରୁଥିବା ଦେଖିବାକୁ ମିଳିଛି । ଜୁଲାଇରୁ ସେପ୍ଟେମ୍ବର ଯାଏଁ ନିଅଣ୍ଟିଆ ବର୍ଷା, ଚାଷୀଙ୍କ ଆଶା ଧୂଳିସାତ ହୋଇଯାଇଛି । ଗୋଷ୍ଠୀ କୃଷି ଅଧିକାରୀ କହିଛନ୍ତି ରିଆମାଳରେ ୫୫% କମ ବର୍ଷା ହୋଇଛି । କିଛି ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇଛି ।
ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ୨ଟି ପଞ୍ଚାୟତରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ମଲେହିପଡ଼ା ଓ ଆଡସର କେତେକ ଗାଁରେ ମରୁଡିର ପଦଧ୍ୱନୀ ଦେଖିବାକୁ ମିଳିଛି ।