କନକ ବ୍ୟୁରୋ : ପାନ.. ଆମ ପରମ୍ପରା ସହିତ ଜଡ଼ିତ । ଜଗନ୍ନାଥଙ୍କ ବିଡ଼ିଆ ପାନ ହେଉ ଅବା ରଜପାନ । ପାନଖିଆ ଲୋକଙ୍କ ପାଟିରେ ପାନ ଖଣ୍ଡିଏ ନପଡ଼ିଲେ ସବୁ କାମ ଅଧୁରା ରହିଗଲା ଭଳି ଲାଗିଥାଏ । ଏମିତି ଅନେକ କାହାଣୀ ପାନ ସହିତ ଜଡ଼ିତ ଅଛି । ତେବେ ବାଲେଶ୍ବର ଜିଲ୍ଲା ବାଲିଆପାଳ ପାନର ସ୍ବତନ୍ତ୍ର ଆକର୍ଷଣ ରହିଛି । ଏହି ଅଞ୍ଚଳ ସମୁଦ୍ର କୂଳବର୍ତ୍ତୀ ହୋଇଥିବାରୁ ପାନଚାଷ ପାଇଁ ବେଶ୍ ଉପେଯାଗୀ । ମାଟି ହାଲୁକା ହୋଇଥିବାରୁ ପାନଚାଷ ଖୁବ୍‌ ଭଲ ହୋଇଥାଏ । ବାଲିଆପାଳର ଚୌମୁଖ, ଡଗରା, ବେତଗଡ଼ିଆ, ଅଳାଡ଼ିଆ, ନୂଆଗାଁ, ଜମ୍ଭୀରାଇ ଭଳି ସମୁଦ୍ର ତଟବର୍ତ୍ତୀ ପଞ୍ଚାୟତରେ ଚାଷୀମାନେ ପାନଚାଷ କରନ୍ତି । ଏହି ଅଞ୍ଚଳ ପାନର ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ, ଗୁଜରାଟ, ମୁମ୍ବାଇରେ ବେସ୍ ଚାହିଦା ରହିଛି । ପ୍ରସିଦ୍ଧ ବନାରସୀ ପାନ ଭଳି ପାନ ବାଲିଆପାଳରେ ମିଳିଥାଏ । ବିଦେଶରେ ମଧ୍ୟ  ଏହି ପାନର ଭଲ ଚାହିଦା ରହିଛି । ଏହି ପାନ ଟିକିଏ ପାଚିଲା ଏବଂ ହଳଦିଆ ରଙ୍ଗର ହୋଇଥିବାରୁ ଭାରି ସୁଆଦିଆ ଲାଗିଥାଏ । ତେବେ ଚାହିଦା ଥିଲେ ମଧ୍ୟ ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି । ବ୍ୟବସାୟୀମାନେ ଏଠାରୁ ପାନ ନେଇ ମାଲାମାଲ ହେଉଥିବା ବେଳେ ଚାଷୀମାନେ କିନ୍ତୁ ବେଶି ଲାଭ ପାଉନାହାନ୍ତି । 

Advertisment

ବାଲିଆପାଳ ଅଞ୍ଚଳରେ ଦୁଇ ପ୍ରକାର ପାନଚାଷ ହୋଇଥାଏ । ଦେଶୀ ଏବଂ ଚନ୍ଦ୍ରକଣା । ଦେଶୀ ପାନ ଅପେକ୍ଷା ଚନ୍ଦ୍ରକଣା ପାନରୁ ଲାଭ ଅଧିକ ମିଳିଥାଏ । ନଭେମ୍ବର ଏବଂ ମାର୍ଚ୍ଚ ମାସରେ ଚାରା ରୋପଣ କରାଯାଏ । ଏହାର ୫ ମାସ ପରେ ପାନ ତୋଳା ହୋଇଥାଏ । ଏକ ହଜାର ଚାରା ଲଗାଇବା ପାଇଁ ୧୨ ହଜାରରୁ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପାଖାପାଖି ୨୫ ହଜାର ଟଙ୍କାରେ ବିକ୍ରି ହୁଏ । ୪ ହଜାର ତଥା ୮୦ କଡ଼ା ପାନକୁ ଚାଷୀ ୨ ହଜାରରୁ ୩ ହଜାର ଟଙ୍କାରେ ବିକ୍ରି କରୁଥିବା ବେଳେ ବ୍ୟବସାୟୀମାନେ ଓଡ଼ିଶାରେ ୮ ହଜାରରୁ ୧୦ ହଜାର ଏବଂ ଓଡ଼ିଶା ବାହାରେ ସ୍ଥାନ ଅନୁଯାୟୀ ୧୨ ହଜାରରୁ ୧୫ ହଜାର ଟଙ୍କାରେ ବିକ୍ରି କରନ୍ତି । ବାଲିଆପାଳରେ ପାନ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରାଯାଏ । 

  ସରକାର ପାନ ଚାଷକୁ କୃଷିର ମାନ୍ୟତା ଦେବା ସହିତ ପ୍ରୋତ୍ସାହନ ଯୋଗଇଦେଲେ ଚାଷୀ ଉପକୃତ ହୋଇପାରନ୍ତେ ।