କନକ ବ୍ୟୁରୋ: ବର୍ଷ ଆରମ୍ଭରୁ ସତେ ଯେମିତି ଦୁଃଖ ଚାଷୀର ପିଛା ଛାଡୁନି । କେବେ ବାତ୍ୟା ଆଉ କେତବେଳେ ଅଦିନିଆ ଲଗୁଚାପ ବର୍ଷା । ପାଣିରେ ବୁଡ଼ି ରହି ଧାନ ଗଛ ନଷ୍ଟ ହୋଇଗଲାଣି। ଆଉ ଏପଟେ ସରକାର ମଣ୍ଡି ଖୋଲୁନାହାଁନ୍ତି । ଫଳରେ ଘରୋଇ ବ୍ୟବସାୟୀଙ୍କୁ କମ୍ ଦରରେ ଚାଷୀକୁ ଧାନ ବିକିବାକୁ ପଡ଼ୁଛି । ଯାହା ଚାଷୀ ପାଇଁ ମୁଣ୍ଡ ବିନ୍ଧା କାରଣ ପାଲଟିଛି ।
ବର୍ଷା ଛାଡ଼ିଯାଇଛି । ହେଲେ ଦେଇଯାଇଛି ଚାଷୀ ଆଖିରେ ଲୁହ । ପାଣିରେ ବୁଡ଼ି ରହି ଧାନ ଗଜା ହୋଇଗଲାଣି । ଧାନର ମାନ ମଧ୍ୟ କମିଗଲାଣି । ଆଉ ଚାଷୀ ସେହି ପାଣି ଭିଜା ଧାନକୁ ଛାଣି ଆଣି ଶୁଖାଇ ରଖିବାକୁ ଚେଷ୍ଟା କରୁଛି । ହେଲେ ଏଯାଏଁ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଧାନ ମଣ୍ଡି ଖୋଲି ନାହିଁ । ଧାନ ମଣ୍ଡି ନଖୋଲିବାରୁ ଚାଷୀର ଚିନ୍ତା ବଢି ବଢି ଚାଲିଛି । ଖାଲି ସେତିକି ନୁହେଁ ଶାଗ ମାଛ ଦରରେ କମ୍ ମୂଲ୍ୟରେ ଚାଷୀ ଘରୋଇ ବ୍ୟବସାୟୀଙ୍କୁ ଧାନ ବିକୁଛି । ସରକାରୀ ମଣ୍ଡିରେ ଧାନ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କା ଥିବା ବେଳେ ଘରୋଇ ବ୍ୟବସାୟୀ କ୍ବିଣ୍ଟାଲ ପିଛା ୧୮ଶହରୁ ୧୯ଶହ ଟଙ୍କା ନେଉଛନ୍ତି । ଯେଉଁଥିପାଇଁ ଚାଷୀ ଧାନର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛି । କ୍ଷତି ଯୋଗୁ ଚାଷୀର ଚିନ୍ତା ବଢିବାରେ ଲାଗିଛି ।
ବ୍ୟାଙ୍କ ଓ ଟଙ୍କା ଲଗାଣକାରୀ ସଂସ୍ଥାଠାରୁ ଋଣ ଆଣି ଚାଷୀ ଧାନ ଚାଷ କରିଥିଲା । ହେଲେ, ଗୋଟିଏ ପଟେ ଅଦିନିଆ ବର୍ଷାର କଷ୍ଟ, ଅନ୍ୟପଟେ ମଣ୍ଡି ନଖୋଲିବା ଚାଷୀର ଚିନ୍ତାକୁ ଦ୍ବିଗୁଣିତ କରିଛି । ଏଥରେ ବିଶେଷ ଭାବେ ଭାଗଚାଷୀ ପ୍ରଭାବିତ ହୋଇଛନ୍ତି । ପ୍ରଶାସନିକ ଅଧିକାରୀ ମାନେ ବି କ୍ଷୟକ୍ଷତି ଆକଳନ ନାଁରେ ଖାଲି ରାସ୍ତା ଉପରୁ ଚାଷ ଜମିକୁ ଦେଖି ଚାଲିଯାଉଛନ୍ତି । ଯାହା ଚାଷୀର ଚିନ୍ତାର କାରଣ ପାଲଟିଛି । କିଛି ସାହାଯ୍ୟ ଆଶାରେ ବସିଛନ୍ତି ଚାଷୀକୁଳ । ତୁରନ୍ତ ସରକାରଙ୍କ ତରଫରୁ ଗରିବ ଅସହାୟ ଚାଷୀଙ୍କୁ କ୍ଷତିପୁରଣ ଦେବା ସହ ମଣ୍ଡି ଖୋଲାଗଲେ ଚାଷୀକୂଳ ଉପକୃତ ହୋଇପାରିବେ ।