କନକ ବ୍ୟୁରୋ : ମଣ୍ଡିରେ ଧାନ ବିକ୍ରି ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ରାତି ପାହିଲେ ମଣ୍ଡିରେ ପହଞ୍ଚିବେ ଚାଷୀ । କିନ୍ତୁ କଟନି ଛଟନିକୁ ନେଇ ଏବେ ଆଶା ଆଶଙ୍କାରେ ଚାଷୀ । ଯାହାକୁ ଦୂର କରିବାକୁ ଆଜି ସାମ୍ନାକୁ ଆସିଛନ୍ତି ନିଜେ ଯୋଗାଣ ମନ୍ତ୍ରୀ । ଏହାସହ ମଣ୍ଡିକୁ ଦଲାଲମୁକ୍ତ କରିବାକୁ ସରକାର ଆପଣାଇଥିବା ଫର୍ମୁଲା କହି ଚାଷୀଙ୍କୁ ଆଶ୍ୱସ୍ତ କରିବାକୁ ଉଦ୍ୟମ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ମଣ୍ଡିରେ କଟନି ଛଟନିକୁ ନେଇ ଦ୍ୱନ୍ଦ୍ୱ ବଢୁଥିବା ବେଳେ ସରକାରଙ୍କୁ ସୁରକ୍ଷା ଦେବାକୁ ସାମ୍ନାକୁ ଆସିଛନ୍ତି ୨ ମନ୍ତ୍ରୀ । ମଣ୍ଡିରେ ଚାଷୀ ଯେମିତି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ସରକାରୀସ୍ତରରେ ପ୍ରସ୍ତୁତି ସରିଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନ୍ୟପଟେ ଧାନର ମାନ ଭଲ ଥିଲେ କଟନି ଛଟନି ହେବନି ବୋଲି କହି ଚାଷୀଙ୍କୁ ଆଶ୍ୱସ୍ତ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ଏପରିକି ମଣ୍ଡିକୁ ଦଲାଲମୁକ୍ତ କରିବାକୁ ପ୍ରଥମଥର ପାଇଁ ରହିବ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ।
ସୁରକ୍ଷାବଳୟରେ ରହିବ ଧାନମଣ୍ଡି
-ମଣ୍ଡି ଦାୟିତ୍ୱରେ ରହିବେ ନୋଡାଲ ଅଫିସର
-୪ରୁ ୫ ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ
-ନିଜେ ଜିଲ୍ଲାପାଳ କରିବେ ତଦାରଖ, ସରକାରଙ୍କୁ ଦେବେ ରିପୋର୍ଟ
-୨ଟି ଜିଲ୍ଲା ପାଇଁ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ଦାୟିତ୍ବ
-ଧାନର ମାନ ଭଲ ଥିଲେ ହେବନି କଟନି ଛଟନି
ଆସନ୍ତାକାଲି ବରଗଡ଼ରେ ଓ ୨୧ରେ ସମ୍ବଲପୁର ଜିଲ୍ଲାରେ ଧାନ କିଣିବେ ସରକାର । ଏଥିପାଇଁ ବରଗଡ଼ର ୨୨୯ଟି ମଣ୍ଡି ଶେଷ ସ୍ପର୍ଶ ପାଉଛି । ନିଜେ ଜିଲ୍ଲାପାଳ ମଣ୍ଡିରୁ ମଣ୍ଡିକୁ ବୁଲି ଭିତ୍ତିଭୂମିର ତଦାରଖ କରିଛନ୍ତି । ଏଫଏକ୍ୟୁ ମାନର ଧାନ ସଂଗ୍ରହ ପାଇଁ ମଣ୍ଡିରେ ମେସିନ ଲଗାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ଚାଷୀଙ୍କୁ ଏବେ ବି ଘାରିଛି ଟୋକନ ଟେନସନ । ଧାନ ଅମଳ କରିଥିବା ଚାଷୀଙ୍କ ପାଖକୁ ଟୋକନ ଆସିନଥିବା ବେଳେ ଧାନ ଅମଳ କରିନଥିବା ଚାଷୀଙ୍କୁ ଧାନ ବିକିବାକୁ ଟୋକନ ମିଳିଥିବା ଅଭିଯୋଗ ହୋଇଛି ।