କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ଲାଗିରହିଛି ଲଗାଣ ବର୍ଷା । ରାଜ ରାସ୍ତା ଓ ଖୋଲା ଆକାଶ ତଳେ ଥିବା ଧାନ ନଷ୍ଟ ହେବା ସହିତ ଚାଷ ଜମିରେ ମଧ୍ୟ ଧାନ ନଷ୍ଟ ହୋଇଛି । ଯେତେବେଳେ ରାଜରାସ୍ତାରେ ଧାନ ଓଦା ହେଉଥିବ, କଳା ପଲିଥିନ୍ ତଳେ ଫସଲ ଢଙ୍କା ହୋଇ ରହିଥିବ , ଆଉ ଚାରିପଟେ ପାଣି ଜମିଥିବ , ସେତେବେଳେ ଚାଷୀଙ୍କୁ ବହୁତ କଷ୍ଟ ହେଉଥିବ । ମଣ୍ଡିରେ ୩୧ଶହ ଟଙ୍କାରେ ବିକ୍ରି ହେବା ଆଗରୁ ଧାନ ଭିଜି ଯାଇଛି । ଓଦା ଧାନର ଏଫଏକ୍ୟୁ ମାନକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି ।
କଳାହାଣ୍ଡି ଜିଲ୍ଲାରେ ଚାଷ ଆରମ୍ଭରୁ ଇନ୍ଦ୍ରାବତୀର ଜଳାଭାବ, ରୋଗ ପୋକ ଆଉ ଏବେ ଲଘୁଚାପ ବର୍ଷା ଚାଷୀଙ୍କ ରବି ଧାନ ଧୋଇ ଦେବାକୁ ବସିଛି । ଅମଳ ଧାନ ମଣ୍ଡିକୁ ଯିବା ଆଗରୁ ଓଦା ହୋଇଛି । ନିଜର ଖଳା ନଥିବାରୁ ରାସ୍ତା ଓ ବିଲମାଳରେ ଧାନ ଶୁଖାଉଥିଲେ ଚାଷୀ । ସେପଟେ ଜମିରେ ଥିବା ଧାନ ପାଣିରେ ପଡ଼ିପଡ଼ି ଗଜା ହେବା ଭଳି ସ୍ଥିତି ଉପୁଜିଛି । କୀଟନାଶକ ସିଞ୍ଚନ କରି ଫସଲ ବଞ୍ଚାଇଥିବା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ଲଘୁଚାପ ବର୍ଷା ।