କନକ ବ୍ୟୁରୋ: ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ କରୁଛନ୍ତି ସରକାର। କ୍ଷୟକ୍ଷତି ଆକଳନ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଚାଷ ଜମି ବୁଲୁଥିବା ବେଳେ ଫସଲ ବୀମା ସହାୟତାରୁ ଯେପରି ଜଣେ ବି ଚାଷୀ ବଞ୍ଚିତ ନହେବେ ତାକୁ ଗୁରୁତ୍ବ ଦେଇଛନ୍ତି ସରକାର। ବୀମା କମ୍ପାନିକୁ କ୍ଷୟକ୍ଷତି ସୂଚନା ଦେବାର ସମୟ ଅବଧି ଆଉ ୩ ଦିନ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ ପରେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
- ବୀମା କମ୍ପାନିକୁ ଫସଲ କ୍ଷତି ସୂଚନା ଦେବାର ଶେଷ ତାରିଖ ଥିଲା ଡିସେମ୍ବର ୨୯
- ଏବେ ୨୦୨୫ ଜାନୁଆରୀ ୧ ଯାଏଁ ବୀମା କମ୍ପାନିକୁ ଫସଲ କ୍ଷତିର ସୂଚନା ଦେଇପାରିବେ ଚାଷୀ
- ବୀମା କରିନଥିବା ଚାଷୀଙ୍କୁ ରାଜ୍ୟ ସରକାର ଦେବେ କ୍ଷତିପୂରଣ
- ଅଧିକ କ୍ଷୟକ୍ଷତି ହୋଇଥିବାରୁ ରିପୋର୍ଟ ଆସିବାରେ ଟିକିଏ ବିଳମ୍ବ ହୋଇପାରେ
ଏବେ ସୁଦ୍ଧା ୫୬ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି। ପଞ୍ଜିକରଣ ଅବଧିକୁ ୩ ଦିନ ବୃଦ୍ଧି କରି କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କୁ ଚିନ୍ତାମୁକ୍ତ କରିଛନ୍ତି ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଅନ୍ୟପଟେ ବିରୋଧୀ ବିଜେଡି ଟାର୍ଗେଟ କରି କହିଛି, ଯଦି ଚାଷୀଙ୍କ କଥା ବାସ୍ତବରେ ସରକାର ଚିନ୍ତା କରୁଛନ୍ତି ତେବେ ୩ ଦିନ ନୁହେଁ ବରଂ ପଞ୍ଜିକରଣ ପାଇଁ ମାସେ ସମୟ ଦିଅନ୍ତୁ। କାରଣ ଏବେ ବି ଅନେକ ଚାଷୀ କେମିତି ଆବେଦନ କରିବେ ତାହା ଜାଣନ୍ତିନି।
ପଞ୍ଜିକରଣ ଅବଧି ବଢାଇ ସରକାର ଚାଷୀଙ୍କୁ ଆଶ୍ବସ୍ତ କରିଛନ୍ତି ସତ । କିନ୍ତୁ ସଂଖ୍ୟା କହୁଛି, ଏବେ ବି ଆହୁରି ଅନେକ ଚାଷୀ ପଞ୍ଜିକରଣ ଅପେକ୍ଷାରେ ରହିଛନ୍ତି। ତେଣୁ ବୀମା କରିଥିବା ଚାଷୀକୁ ସଠିକ୍ କ୍ଷତିପୂରଣ ମିଳିବ ତ ? ତାହା ସବୁଠୁ ବଡ ପ୍ରଶ୍ନ ।