କନକ ବ୍ୟୁରୋ : ସମୟ ସରୁଛି, ସରୁନି ରବି ଧାନ କିଣା । ଚାଷୀଙ୍କ ପାଖରେ ଟୋକନ୍‌ ଅଛି, ହେଲେ ମଣ୍ଡିରେ ଟାର୍ଗେଟ୍‌ ନାହିଁ। ମଣ୍ଡିରେ ଚାଷୀଙ୍କ ଧାନବସ୍ତା ଗଦା ମଡ଼ା ହୋଇଥିବା ବେଳେ ଟାର୍ଗେଟ୍‌ ପୂରଣ ହେଉନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ଉପରେ ଧାନବସ୍ତା ରଖି ପ୍ରତିବାଦ କରିଛନ୍ତି ।

Advertisment

ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଖୁଣ୍ଟୁଲିପାଲି ମଣ୍ଡିରେ ଧାନ କିଣାଵିକାରେ ଅବ୍ୟବସ୍ଥା । ମଣ୍ଡିରେ ଧାନ ନଉଠିବାରୁ ଡାଲବ ଛକ ଠାରେ ଧାନ ବସ୍ତା ରଖି ଚାଷୀ ରାସ୍ତାରୋକ କରିଛନ୍ତି । ଗୋଡ଼ଭୋଗା-ସୋନପୁର ୫୪ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନରେ ଶତାଧିକ ଚାଷୀ ସାମିଲ ହୋଇଛନ୍ତି ।

ସେହିପରି ବାଲେଶ୍ୱର ଭୋଗରାଇ ବ୍ଲକ ୫୭ ନମ୍ବର ରାଜ୍ୟ ରାଜପଥ ବାଉଁଶଡିହା ଛକ ନିକଟରେ ଶତାଧିକ ଚାଷୀଙ୍କ ରାସ୍ତା ରୋକ କରିଛନ୍ତି । ଟୋକନ ବୃଦ୍ଧି ଏବଂ ଚାଷୀଙ୍କ ପାଖରୁ ସରକାର ଧାନ କିଣିବା ନେଇ ଦାବି କରିଛନ୍ତି ଚାଷୀ । ଧାନ ବିକ୍ରିରେ ଅବ୍ୟବସ୍ଥାକୁ ନେଇ ଯାଜପୁରରେ ଚାଷୀଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ୨୦ ନମ୍ବର ଜାତୀୟ ରାଜପଥର କମାରଡିହି ଠାରେ ଧାନ ବସ୍ତା ରଖି ଚାଷୀ ଆନ୍ଦୋଳନ କରିଛନ୍ତି । ଭଦ୍ରକ ଆରଡ଼ିକୁ ସଂଯୋଗ କରୁଥିବା ରାସ୍ତାରେ ଗାଡ଼ିମଟର ଅଟକି ରହିଛି ।

ସୂଚନା ଅନୁସାରେ କମାରଡିହ ସମବାୟ ସମିତି ଅଧୀନରେ କମାରଡିହ, କୟାଁ, ଖାନନଗର, ଥାଳକୁଡି, ନିଜାମପୁର, ଆଦି ପଞ୍ଚାୟତର ୧୫ଶହ ଚାଷୀଙ୍କୁ ୫୨ ହଜାର କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲା । ୨୫ ତାରିଖ ସୁଦ୍ଧା ୨୦ ହଜାର କ୍ୱିଣ୍ଟାଲ ଧାନ କିଣାଯାଇଥିବା ବେଳେ ଆଉ ମାତ୍ର ୫ ଦିନ ମଧ୍ୟରେ ୩୨ ହଜାର କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ରହିଛି । ତେଣୁ ୫ ଦିନ ଦିନ ଭିତରେ ସମସ୍ତ ଧାନ ବିକ୍ରି ହେଉ ନଚେତ୍‌ ୧୫ ଦିନ ସମୟ ବଢ଼ାଯାଉ ବୋଲି ଚାଷୀ ଦାବି କରିଛନ୍ତି ।