କନକ ବ୍ୟୁରୋ: ସମ୍ବଲପୁରରେ ତାତିଲେ ଚାଷୀ । ଟୋକନ ଥାଇ ଟାର୍ଗେଟ ନଆସିବାରୁ ୫ ଘଣ୍ଟା ଧରି ରାସ୍ତା ଅବରୋଧ କଲେ । ଯୋଗାଣ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ । ଧାନ ବିକ୍ରି ନେଇ ରାଜରାସ୍ତାରେ ଚାଷୀ । ସକାଳୁ ସକାଳୁ ହଠାତ୍ ମାଡ଼ି ଆସିଲେ ଶହ ଶହ ଚାଷୀ । ଆଉ ଅବରୋଧ କଲେ ଜାତୀୟ ରାଜପଥ । ଚାଷୀ ଅସନ୍ତୋଷ ନିଆଁରେ ଦୀର୍ଘ ପାଞ୍ଚ ଘଣ୍ଟା ଧରି ରାଜ ରାସ୍ତାରେ ଅଟକି ରହିଲା ଶହ ଶହ ଗାଡ଼ି । ଚାଷୀଙ୍କ ଅଭିଯୋଗ ଟୋକନ ଅଛି ମିଲର୍ସ ପାଖରେ ଟାର୍ଗେଟ ନାହିଁ । ଫଳରେ ଧାନ ବିକ୍ରି ବନ୍ଦ ହୋଇଛି । ସେପଟେ ଦୀର୍ଘ ୪ଦିନ ହେଲା ମିଲର୍ସ ପଏଣ୍ଟରେ ଧାନ ବୋଝେଇ ଗାଡ଼ି ପଡ଼ି ରହିଛି । ନୂଆ ସରକାର ଚାଷୀଙ୍କ ସମସ୍ୟା ଦୂର ପାଇଁ ପ୍ରତିଶ୍ରୁତି ଦେଲେ, କିନ୍ତୁ ବର୍ଷେ ହେବାକୁ ବସିଲାଣି ଚାଷୀଙ୍କ କଥା ଭୁଲିଗଲେ । ସମସ୍ୟାର ସମାଧାନ ହେଉନଥିବାରୁ ରାସ୍ତା ଅବରୋଧ କରିଥିଲେ ଶତାଧିକ ଚାଷୀ ।
ସେପଟେ ଅଦିନିଆ ବର୍ଷା ଦାଉ ସାଧୁଛି । ଖଳାରେ ଧାନ ଭିଜୁଛି, ତେଣୁ ଜଲ୍ଦି ଧାନ ବିକ୍ରି ପାଇଁ ଜିଦରେ ଅଟଳ ଚାଷୀ । ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେଇଛନ୍ତି ଯୋଗାଣ ବିଭାଗ ଅଧିକାରୀ । ଜିଲ୍ଲାରେ ୧୪ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ୍ ଦରକାର ପଡୁଥିବାବେଳେ, ଆସିଛି ୧୨ଲକ୍ଷ କ୍ବିଣ୍ଟାଲ ଧାନ । ସନ୍ଧ୍ୟା ସୁଦ୍ଧା ଟାର୍ଗେଟ ପୂରଣ ହେବା ନେଇ ଯୋଗାଣ ବିଭାଗ ଅଧିକାରୀ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଓହରିଛନ୍ତି ଚାଷୀ । ଏଠି ପ୍ରଶ୍ନ ଉଠୁଛି ଟୋକନ ଅନୁସାରେ ଟାର୍ଗେଟ କାହିଁକି ଆସୁନି ? ଟୋକନ ଲାପ୍ସ କରିବାକୁ ଏହା ମସୁଧା ନୁହେଁ ତ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/09/ws0XmmNBXGZFIVGNq461.jpg)