କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଏବେ ଚାଷୀ କରୁଛନ୍ତି ପିଆଜ ଚାଷ । ସ୍ୱାବଲମ୍ବୀ ହେବା ସହ ଅଧିକ ରୋଜଗାରକ୍ଷମ ହେବା ପାଇଁ ରଖିଛନ୍ତି ଆଶା । ଓଡ଼ିଶା ଜୀବିକା ମିଶନ ଓ ମାଲକାନଗିରି ଆଇଟିଡିଏ ତରଫରୁ ଚାଷୀଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ।
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ା ପଞ୍ଚାୟତସ୍ଥିତ ମୁତାଆମ୍ବ ଗାଁ । ଏହି ଗାଁର ଚାଷୀମାନେ ଏବେ ପିଆଜ ଚାଷ କରୁଛନ୍ତି । ପୂର୍ବରୁ ଏହି ଅଞ୍ଚଳରେ ଧାନ, ମାଣ୍ଡିଆ, ହଳଦୀ ଆଦି ଚାଷ ହେଉଥିଲା । ଏବେ ପିଆଜ ଚାଷ କରିବାକୁ ମନ ବଳାଇଛନ୍ତି ଚାଷୀ । ଅଧିକ ଦୁଇ ପଇସା ରୋଜଗାର କରି ଭଲରେ ପରିବାର ପୋଷଣ କରିବାକୁ ଆଶା ରଖିଛନ୍ତି । କେବଳ ମୁତାଆମ୍ବ ଗାଁ ନୁହେଁ, ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରେ ୧୫୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ୨୫ ଏକର ଜମିରେ ପିଆଜ ଚାଷ ହେଉଛି ।
ବଡ଼ପଡା ପଞ୍ଚାୟତର ମୁତାଆମ୍ବ, ଅର୍ଣ୍ଣାଭାଟା, ବଡ଼ପଡ଼ା, କର୍ଲାମାଳ ଆଦି ଗାଁର ଚାଷଜମିରେ ମାଲକାନଗିରି ଆଇଟିଡିଏ ତରଫରୁ ବୋରୱେଲ ଖୋଳାଯିବା ସହ ଚାଷୀଙ୍କୁ ପାଇପ ଓ ପାଣି ସିଞ୍ଚନ ଯନ୍ତ୍ର ଯୋଗାଇ ଦିଆଯାଇଛି । ଉଦ୍ୟାନ ବିଭାଗ ତରଫରୁ ପିଆଜ ବିହନ ଯୋଗାଇ ଦିଆଯାଇଥିବା ବେଳେ ଓଡ଼ିଶା ଜୀବିକା ମିଶନ ତରଫରୁ ସାର ଯୋଗାଇ ଦିଆଯାଉଛି । ପିଆଜ ଚାଷ ଓ ଅମଳ ନେଇ ଅଧିକାରୀ ପ୍ରଶିକ୍ଷଣ ଦେଉଛନ୍ତି । ପ୍ରଶାସନ ତରଫରୁ ଏହି ଅଞ୍ଚଳର ଅନ୍ୟ ଜମିରେ ଜଳସେଚନର ବ୍ୟବସ୍ଥା କରାଗଲେ, ଚାଷୀ ଆହୁରି ଉପକୃତ ହୋଇପାରନ୍ତେ ।