କନକ ବ୍ୟୁରୋ : ଚାଷୀଙ୍କୁ ଘାରିଛି ୟୁରିଆ ସାର ଚିନ୍ତା। ଅଭାବୀ ୟୁରିଆକୁ ନେଇ ଜିଲ୍ଲାର ବିଭିନ୍ନ ବ୍ଲକରେ ରାସ୍ତା ଅବରୋଧ । ସାରା ଜିଲ୍ଲାରେ ୟୁରିଆ ସାରର ଅଭାବ । ଯେଉଥିପାଇଁ କଳାବଜାରୀ ବଢ଼ିବାରେ ଲାଗିଛି। ବାରମ୍ବାର ଆପତ୍ତି କଲେ ବି ପ୍ରଶାସନ ନିଦା ବିଷ୍ଣୁ । ବଜାରରେ ୟୁରିଆ ସାର ମିଳୁ ନଥିବାରୁ ଠପ୍ ହୋଇଛି ଚାଷ କାମ । ଫଳରେ ଉତ୍ୟକ୍ତ ହୋଇ ଚାଷୀମାନେ କେତେବେଳେ ବିରମହାରାଜପୁର ତ କେତେବେଳେ ସୁବର୍ଣ୍ଣପୁର -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବାଗଦୁଲି ଛକ ଠାରେ ଅବରୋଧ କରିଛନ୍ତି । ଜିଲ୍ଲାକୁ ୟୁରିଆ ସାର ଆସିଥିବାବେଳେ ସମସ୍ତ ପ୍ୟାକ୍ସ୍ ଓ ରିଟେଲର ମାନଙ୍କ ପାଖକୁ ପାଠଯାଇଛି । ଏହା ଜାଣି ବା ପରେ ଚାଷୀମାନେ ସକାଳୁ ସକାଳୁ ସାର ଦୋକାନ ଓ ପ୍ୟାକ୍ସ୍ ଆଗରେ ଭିଡ ଜମାଉଛନ୍ତି । ହେଲେ ଚାଷୀମାନେ ଲାଇନ୍ ଲାଗିଥିବା ବେଳେ ଆବଶ୍ୟକୀୟ ସାର ନ ପାଇ ହେଉଛନ୍ତି ହନ୍ତସନ୍ତ । ଚାଷୀମାନେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରୁଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଉଛି ।
ରିଟେଲର ଗୋଦାମରେ ସାର ଅଛି ହେଲେ ଚାଷୀଙ୍କୁ ଦିଆଯାଉନଥିବା ଅଭିଯୋଗ ହୋଇଛି । ବୀରମହାରାଜପୁର ବ୍ଲକ ପିତାମହୁଲ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ୟୁରିଆ ସାର ବିକ୍ରୀ ବେଳେ ଚାଷୀଙ୍କ ମାତ୍ରାଧିକ ଭିଡ ଯୋଗୁଁ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି ଫଳରେ ସାର ବିକ୍ରୀ ହୋଇ ପାରିନଥିଲା । ସୁବଳୟା ପୋଲିସ କୁ ଖବର ଦିଆଯାଇଥିଲା । ଅଞ୍ଚଳର ଚାଷୀଙ୍କ ଚାଷ ପାଇଁ ୟୁରିଆ ସାର ଯେତେ ପରିମାଣରେ ଆବଶ୍ୟକତା ରହିଥିଲା ତାହା ଏବେ କୁଆଡେ ଗଲା ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ଜମି ରେ ସାର ପ୍ରୟୋଗ ବା ଛିଞ୍ଚଣ ସମୟ ଆସି ଯାଇଥିବାରୁ ଅଞ୍ଚଳର ଚାଷୀ ଗାଁ ଠୁ ସହର ସବୁ ସ୍ଥାନକୁ ଯାଇ ଦୈନନ୍ଦିନ ହଇରାଣ ହେଉଛନ୍ତି । ଆବଶ୍ୟକତା ଅନୁସାରେ ସାର ଉପଲବ୍ଧ ହେଉନଥିବାରୁ ଚାଷୀ ଏବେ ନିରାଶ ।
ସାର ଯୋଗାଣ କ୍ଷେତ୍ରରେ ପ୍ରଶାସନ ସ୍ଥାଣୁ ପାଲଟି ଯାଇଥିବା ବେଳେ କୃଷି ବିଭାଗ ମଧ୍ୟ ଆଦୌ ଆନ୍ତରିକତା ପ୍ରକାଶ କରୁ ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ୟୁରିଆ ସାର ପ୍ୟାକେଟ୍ ପିଛା ଧାର୍ୟ୍ୟ ମୂଲ୍ୟ ଠାରୁ ୭୦୦ ରୁ ୧୦୦୦ ଟଙ୍କା ଚଢ଼ା ଦରରେ ଚାଷୀ କିଣୁଥିବା ଅଭିଯୋଗ ହେଉଛି । ଅପର ପକ୍ଷରେ ଏହି ସମସ୍ୟା ସମାଧାନ କରାଯିବା ସହିତ ସାର କଳାବଜାର କୁ କଡା କଡି ଭାବେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସହକାରୀ କୃଷି ଅଧିକାରୀ ।