କନକ ବ୍ୟୁରୋ: ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବା ପରେ ସରକାରୀ ପଦକ୍ଷେପକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ। କ୍ଷୟକ୍ଷତି ଆକଳନ ଠିକ ଭାବରେ କରାଯାଉନଥିବା ଅଭିଯୋଗ ଆଣି ପୁରୀ, ଗଜପତିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ।
- କ୍ଷୟକ୍ଷତି ଆକଳନକୁ ନେଇ ତାତିଲେ ଚାଷୀ
- ଗଜା ଧାନ ଧରି କାର୍ଯ୍ୟାଳୟ ଘେରାଉ
ଧାନ ଫସଲ ଉଜୁଡିଯିବା ପରେ, ପ୍ରଶାସନର ଉଦାସିନତାକୁ ନେଇ ଚାଷୀଙ୍କ ଭିତରେ ବଢିଛି ଅସନ୍ତୋଷ । ଯାହାର ଫଳସ୍ୱରୂପ ଗଜା ଧାନ ଧରି ଗୋପ ତହସିଲ ଅଫିସ ଘେରାଉ କରିଛନ୍ତି ଶହଶହ ଚାଷୀ। ଅଦିନିଆ ବର୍ଷା ଯୋଗୁଁ ପୁରୀ ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷଜମିରେ ପାଣି ଜମା ହେବା ଯୋଗୁଁ ଚାଷୀକୂଳ ପାଚିଲା ଧାନ କାଟିନପାରି ନାନା ସମସ୍ୟାର ସମ୍ମୁଖୀନ ହୋଇଛି। ତେବେ କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ରାଜସ୍ବ ବିଭାଗର ମିଳିତ ସର୍ଭେରେ ଗୋପ ବ୍ଲକର ୩୧ଟି ପଞ୍ଚାୟତରେ କ୍ଷୟକ୍ଷତି ଶୂନ୍ୟ ହୋଇଥିବା ସରକାରୀ ରିପୋର୍ଟକୁ ବିରୋଧ କରି ଗୋପ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ।
ସେହିପରି ଅଦିନିଆ ବର୍ଷା ପ୍ରଭାବରେ ଗଜପତି ଜିଲ୍ଲାରେ ଶହ ଶହ ଚାଷୀ ହାତରେ ଗଜା ହୋଇଥିବା ଧାନଗଛ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ହୋ ହାଲ୍ଲା କରିଛନ୍ତି। ଧାନ ଖଳା ଓ ବିଲରେ ବର୍ଷାପାଣି ଜମି ଧାନ ଓଦା ହୋଇ ଗଜା ହୋଇଯାଇଛି। ତଥାପି ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅଧିକାରୀ ଚାଷୀଙ୍କ ସମସ୍ୟା ବୁଝୁନଥିବା ଅଭିଯୋଗ ହୋଇଛି।
ତେବେ ଚାଷୀଙ୍କ ଅସନ୍ତୋଷ ବଢ଼ୁଥିବାବେଳେ ଗୋପ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବୁଝାସୁଝା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦାଶ। କେବଳ ଏହି ଦୁଇଟି ସ୍ଥାନରେ ନୁହେଁ ଆସନ୍ତା ଶନିବାର ଭାବାନୀପାଟଣା ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ। ମଣ୍ଡି ସମସ୍ୟା ତୁରନ୍ତ ସୁଧାରିବା ସହ ବର୍ଷା କ୍ଷୟକ୍ଷତିର ଆକଳନ କରିବାକୁ ଦାବି ରଖିଛନ୍ତି।