କନକ ବ୍ୟୁରୋ: ୨୦ ତାରିଖରୁ ଧାନ କିଣିବାକୁ ସରକାର ପ୍ରସ୍ତୁତ ଥିବା କହି ଆସୁଛନ୍ତି । କିନ୍ତୁ ଗ୍ରାଉଣ୍ଡରେ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଚାଷୀ ମୁହଁ ମୋଡିଲେଣି । ଗ୍ରେନ ଆନାଲାଇଜର ମେସିନ ଜରିଆରେ କଟନି ଛଟନି ହେବା ନେଇ ଚାଷୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଧାନ ବିକିବାକୁ ଠିକ୍ ସମୟରେ ଟୋକନ ନ ମିଳିବାରୁ କମ ଦାମରେ ଦଲାଲଙ୍କୁ ଧାନ ବିକୁଛନ୍ତି ବରଗଡର ଚାଷୀ।
ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଧାନ କିଣାବିକା । ବରଗଡ ଜିଲ୍ଲାରୁ ଏହାର ଶୁଭାରମ୍ଭ କରିବେ ସରକାର । ଏଥିପାଇଁ ମଣ୍ଡି ପ୍ରସ୍ତୁତ ଥିବା ନେଇ ସରକାର ଜୋର ଦେଇ କହୁଥିବା ବେଳେ ଗ୍ରାଉଣ୍ଡ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ବରଗଡ ଅତାବିରାରେ ମଣ୍ଡି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚାଷୀ। ଟୋକନ ବ୍ୟବସ୍ଥା, ଗ୍ରେନ ଆନାଲାଇଜର ମେସିନ, ଏଫଏକ୍ୟୁ ମାନକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି ଚାଷୀ। ଗ୍ରେନ୍ ଆନାଲାଇଜର ମେସିନ ଜରିଆରେ ପୁଣିଥରେ କଟନି ଛଟନିକୁ ସରକାର ସୁଯୋଗ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ବିନା ଟ୍ରେନିଂରେ ଗ୍ରେନ୍ ଆନାଲାଇଜର ମେସିନ ଲଗାଇବାକୁ ସେମାନେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ଏହାସହ ଠିକ୍ ସମୟରେ ଧାନ ବିକିବାକୁ ଟୋକନ ମିଳୁନଥିବା କହି ସରକାରଙ୍କ ଘୋଷଣା ଉପରେ ପ୍ରଶ୍ନବାଚୀ ଛିଡା କରିଛନ୍ତି ।
ଧାନର ଏଫଏକ୍ୟୁ ମାନର ପରୀକ୍ଷଣ ପାଇଁ ମଣ୍ଡିରେ ଗ୍ରେନ ଆନାଲାଇଜର ମେସିନ ଲାଗୁଛି। କିନ୍ତୁ ଚାଷୀ ନେତା ପ୍ରଶ୍ନ ଉଠାଇ କହିଛନ୍ତି, ୧ କ୍ୱିଣ୍ଟାଲ ଧାନରେ ୧୦ କିଲୋ ଅପମିଶ୍ରଣ ଥିଲେ ଏହାକୁ ଏଫଏକ୍ୟୁ ମାନର ଧାନ ବୋଲି ଧରାଯାଏ । ପୂର୍ବରୁ ଏଫଏକ୍ୟୁ ମାନ ନାଁରେ ବିନା ପରୀକ୍ଷଣରେ ନବୀନ ସରକାର କଟନି ଛଟନି କରୁଥିଲେ । ଏବେ ନୂଆ ସରକାର ଗ୍ରେନ ଆନାଲାଇଜର ଜରିଆରେ କଟନି ଛଟନିକୁ ପ୍ରଶୟ ଦେବାକୁ ମସୁଧା କରୁଥିବା ଅଭିଯୋଗ କରିଛନ୍ତି । ସେହିଭଳି ମଣ୍ଡିରେ ଅବ୍ୟବସ୍ଥା ଥିବାରୁ ଚାଷୀ ମାନେ ଧାନକୁ କମ ଦାମରେ ଦଲାଲଙ୍କୁ ବିକୁଥିବା ନେଇ ଅଭିଯୋଗ ହୋଇଛି ।
ଧାନ କିଣିବା ପୂର୍ବରୁ ହିଁ ଗ୍ରାଉଣ୍ଡରେ ମଣ୍ଡି ଅବ୍ୟବସ୍ଥାର ଅଭିଯୋଗ ସାମ୍ନାକୁ ଆସିଛି । ୮୦୦ ଟଙ୍କା ଅଧିକ ବୋନସ ପାଇବା ଆଶାରେ ଚାଷୀ ମଣ୍ଡିକୁ ଧାନ ଆଣିବାକୁ ଚାହିଁ ବସିଥିବା ବେଳେ ବ୍ୟବସ୍ଥାରେ କେଁ ପୂରାଇ ଷଡଯନ୍ତ୍ର କିଏ କରୁଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।