କନକ ବ୍ୟୁରୋ : ଚାଷ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାର ସଂକଟର ଚିତ୍ର ଆସିବା ପରେ ତେଜିଛି ରାଜନୀତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପାଲଟା ଜବାବ ଦେଇଛି ଶାସକ ଦଳ । ବିଜେଡି ସରକାର ସମୟର କଥା ମନେ ପକାଇ ଦେଇ କଟାକ୍ଷ କରିଛନ୍ତି ମନମୋହନ ।
ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ, ସାରା ରାଜ୍ୟରେ ସାର ପାଇଁ ଚାଷୀ ସଂଘର୍ଷ କରୁଛି । ଧାନ ଗଛ ବଢ଼ିବା ସମୟରେ ସାର ସଂକଟ ଯୋଗୁଁ ଚାଷୀ, ଚାଷ ଛାଡ଼ି ଧାଡ଼ିରେ ଛିଡ଼ା ହେଉଛି । ଗୋଟିଏ ସାର ଗାଡ଼ି ଆସିଲେ ଶହ ଶହ ଚାଷୀ ନେବାକୁ ଭିଡ଼ ଜମାଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ବାରମ୍ବାର ଏଭଳି ଚିତ୍ର ଆସିବା ପରେ ତେଜିଛି ରାଜନୀତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟରେ ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଲେଖିଛନ୍ତି, ସାର ଅଭାବ ଯୋଗୁଁ କୃଷିକାର୍ଯ୍ୟ ବାଧାପ୍ରାପ୍ତ ଓ ଚାଷୀ ସଂକଟରେ ଅଛନ୍ତି । ଚାଷୀକୁଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଆବଶ୍ୟକ ୟୁରିଆ ଯୋଗାଣ ସୁନିଶ୍ଚିତ କରାଯାଉ ।
ସାର ପ୍ରସଙ୍ଗରେ ନବୀନଙ୍କ ଚିଠି ପରେ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ସରକାର ସମୟର କଥାକୁ ମନେ ପକାଇ ସମାଲୋଚନା କରିଛନ୍ତି ଏବଂ ମୋହନ ସରକାର ସାର ଯୋଗାଇ ଦେବାକୁ ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି । ଯୋଗାଣ ମନ୍ତ୍ରୀ କହିଛନ୍ତି, ସାର ପହଞ୍ଚିବାରେ ବିଳମ୍ବ ହୋଇଛି । ହେଲେ ସାରର ଅଭାବ ନାହିଁ । ଯେଉଁଠି ସାର ପହଞ୍ଚାଇବାରେ ବିଳମ୍ବ ହୋଇଛି, ସେଠି ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ ।
ରାଜ୍ୟର ବିଭିନ୍ନ ସ୍ଥାନରୁ ସାର ସଂକଟ ଖବର ଆସିବା ପରେ ଅଧିକ ସାର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ପ୍ରଶ୍ନ ଉଠୁଛି, ଅଧିକ ସାର ପାଇଁ କାହିଁକି ଆଗୁଆ ପଦକ୍ଷେପ ନିଆଯାଇନଥିଲା ? କେତେ ସାର ଆବଶ୍ୟକ ଆକଳନ କରିନଥିଲା କି ବିଭାଗ ?