କନକ ବ୍ୟୁରୋ: ଜୈବିକ ଚାଷ ଓ ଦେଶୀ ଧାନ ବିହନରେ ଗବେଷଣା କରି ଚର୍ଚ୍ଚାରେ ଚାଷୀ । ସରକାରୀ ଚାକିରି ଏଵଂ ବଡ଼ ବ୍ୟବସାୟ ହିଁ ଜଣଙ୍କର ଜୀବନ ଶୈଳୀ ବଦଳାଇବ ତାହା ନୁହେଁ । ଜଣେ ଚାଷୀ ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜି ପାରିବେ। ଯାହାର ଜ୍ବଳନ୍ତ ଉଦାହରଣ ବରଗଡ଼ ସଦର ବ୍ଲକ କଟାପାଲି ଗ୍ରାମର ଚାଷୀ ସୁଦାମ ସାହୁ ।
ପାଠପଢ଼ି ସାରି ସରକାରୀ ଚାକିରି ପଛରେ ନପଡ଼ି ସଫଳ ଚାଷୀ । ଜୈବିକ ଚାଷ ଓ ଦେଶୀ ଧାନ ବିହନରେ ଗବେଷଣା କରି ଚର୍ଚ୍ଚାରେ ବରଗଡ଼ର ସୁଦାମ ସାହୁ । ବିଭିନ୍ନ ପ୍ରକାର ଦେଶୀ ଧାନ ଚାଷ କରି ବାର୍ଷିକ ୬ରୁ ୭ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହିତ ଦେଶୀ ଧାନ ଉପରେ ଗବେଷଣା କରୁଛନ୍ତି । ଘରେ ବିହନ ପ୍ରସ୍ତୁତ କରୁଛନ୍ତି । ଅନ୍ୟ ଚାଷୀଙ୍କୁ ବିହନ ଯୋଗାଇ ରୋଜଗାରର ପନ୍ଥା ଦେଇଛନ୍ତି ସୁଦାମ । ସୁଦାମଙ୍କ ଗବେଷଣାରୁ ପ୍ରସ୍ତୁତ ୧୦ଟି ବିହନ ମଧ୍ୟରୁ କୁସୁମ କଳି ଓ ସୁନା ହରିଣର ଚାହିଦା ସାରା ରାଜ୍ୟରେ ରହିଛି ।
ଜମିରେ କିପରି ଜୈବିକ ପଦ୍ଧତିରେ ଉନ୍ନତମାନର ଚାଷ ହୋଇପାରିବ ସେନେଇ ରାଜ୍ୟ ବାହାରକୁ ଯାଇ ଚାଷୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସୁଦାମ । ନିଜ ଏକ ବିହନ ବ୍ୟାଙ୍କ ପ୍ରସ୍ତୁତ କରି ଚାଷୀଙ୍କୁ ବିହନ ଯୋଗାଇ ଦେଉଛନ୍ତି । ଜୈବିକ ସାର, କିଟ ନାଶକ ଓ ଜିଆ ଖତ ନିଜେ ପ୍ରସ୍ତୁତ କରି ପ୍ରଶଂସା ସାଉଁଟିଛନ୍ତି । ତାଙ୍କର ଏପରି କୃତିତ୍ୱ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଗତ ଜୀବନ ରାମ ପରି ଅଭିନବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହାସହ ବିଭିନ୍ନ ସ୍ଥାନରେ ତାଙ୍କୁ ଅନେକ ସଂସ୍ଥା ପକ୍ଷରୁ ପୁରସ୍କୃତ କରାଯାଇଛି । ଜୈବିକ କୃଷି କ୍ଷେତ୍ରରେ ବିପ୍ଳବ ଆଣି ଯୁବ ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସୁଦାମ ।