କନକ ବ୍ୟୁରୋ : ଧାନ ଗଦାରେ ନିଆଁ ଲାଗି ଆଖି ଆଗରେ ସବୁ ଜଳିଗଲା । ସବୁ ସ୍ୱପ୍ନ ପୋଡ଼ି ପାଉଁଶ ହୋଇଗଲା । ଅଙ୍ଗାର ଭିତରୁ ସ୍ବପ୍ନ ସାଉଁଟୁଛନ୍ତି ଚାଷୀ । ରାୟଗଡ଼ା ଜିଲ୍ଲା ମୁନିଗୁଡା ଇଣ୍ଡିଆନ ଗ୍ୟାସ ପଛପଟେ ଥିବା ଏକ ଖଳାରେ ଧନ ଗଦା କରିଥିଲେ ଚାଷୀ । ଅମଳ କରିବା ପାଇଁ ପ୍ରସ୍ତୁତ କରୁଥିଲେ। ଭାବିଥିଲେ ଧାନ ଅମଳ ହେଲେ ୩୧ଶହ ଟଙ୍କାରେ ମଣ୍ଡିରେ ବିକି କରଜ ସୁଝିବେ। ପିଲାଛୁଆଙ୍କ ପାଇଁ ବର୍ଷକର ଆହାର ସଂଗ୍ରହ କରିବେ । ହେଲେ ଚାଷୀଙ୍କ ଆଶାରେ ନିଆଁ ଲାଗିଯାଇଛି ।
ମଣ୍ଡିକୁ ଯିବା ଆଗରୁ ଅଗ୍ନି ଆଁରେ ଭସ୍ମ ହୋଇ ଯାଇଛି ୪ ଏକର ଜମିର ଧାନ । ଖବର ପାଇ ଦମକଳ ବାହିନୀ ପହଁଚି ନିଆଁ ଲିଭାଇଛି । ମିଳିଥିବା ସୂଚନା ଅନୁସାରେ, ଖଳାରେ କେହି ନଥିବା ବେଳେ ଧାନ ଗଦାରେ ନିଆଁ ଲାଗିଯାଇଥିଲା । କେମିତି ନିଆଁ ଲାଗିଲା ତା'ର ପ୍ରକୃତ କାରଣ ଜଣାପଡ଼ିନାହିଁ । ବର୍ଷକର ପାରିଶ୍ରମିକ ନିଆଁରେ ପୋଡି ଯାଇଛି । ପୋଡ଼ା ଧାନଗଦାକୁ ଦେଇ ଚାଷୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ପାଉଁଶ ଭିତରୁ ପୋଡାଧାନ ସାଉଁଟିବାରେ ଲାଗିଛନ୍ତି ।