କନକ ବ୍ୟୁରୋ : ସାରା ରାଜ୍ୟରେ ସାରର ଘୋର ଅଭାବ ଦେଖା ଦେଇଛି । ଅଭିଯୋଗ ହେଉଛି ଚାଷୀଙ୍କ ଆବଶ୍ୟକ ମୁତାବକ ସାର ଯୋଗାଣ ହୋଇପାରୁନି । ସାର ନ ମିଳିବାରୁ ଚାଷୀ ବାଧ୍ୟ ହୋଇ ଚାଷ କାମ ଛାଡି ଆନ୍ଦୋଳନରେ ସାମିଲ ହେଉଛନ୍ତି । ଫଳରେ ବିଲରେ ଚାଷ ଉଜୁଡ଼ିଯିବାକୁ ବସିଲାଣି । ଅଧିକାଂଶ ପ୍ୟାକ୍ସରେ ସାର ନାହିଁ । ୧୦ ବସ୍ତା ମାଗିଲେ ବସ୍ତାଏ ମିଳୁଛି । ଏତିକିବେଳେ ରାଜ୍ୟ ସରକାର ସିଏମ୍ କିଷାନ ଯୋଜନାରେ ଦେଉଥିବା ୨ ହଜାର ଟଙ୍କାର ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ ହୋଇଛି ।
ସରକାରଙ୍କ ସବ୍ସିଡି ପରେ ୟୁରିଆ ୨୬୬ ଟଙ୍କା ୫୦ ପଇସା । ଡିଏପିର ଦାମ୍ ରହିଛି ୧ ହଜାର ୩୫୦ ଟଙ୍କା । କିନ୍ତୁ ବଜାରରେ ୟୁରିଆ ୫୦୦ ରୁ ୬୦୦ ଟଙ୍କାରେ ବିକ୍ରି ହେଉଛି । ଡିଏପି ୧୮୦୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ଧାଡ଼ିରେ ଛିଡ଼ାହୋଇ ସାର ନପାଇଲେ ଖୋଲା ବଜାରରୁ କିଣୁଛନ୍ତି ଚାଷୀ । ଏହାବାଦ ଶ୍ରମିକ ମଜୁରୀ ଓ ଅନ୍ୟାନ୍ୟ ଖର୍ଚ୍ଚ ବି ରହିଛି । ତେଣୁ ଚାଷୀଙ୍କ ଆୟ ବଢ଼ାଇବାକୁ ସରକାର ଯୋଗାଇ ଦେଉଥିବା ଆର୍ଥିକ ସହାୟତା ବଢ଼ାଇବାକୁ ଦାବି କରିଛନ୍ତି ଚାଷୀ ।
ରାଜ୍ୟରେ ୧୯ ଜୁଲାଇରୁ ଆରମ୍ଭ ହୋଇଥିବା ଚାଷୀ ପଞ୍ଜୀକରଣ, ଜଟିଳ ପ୍ରକ୍ରିୟା ଯୋଗୁଁ ଧିମେଇଯାଇଥିଲା । ବିଶେଷକରି ଭାଗଚାଷୀଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡୁଥିଲା । ବିଭିନ୍ନ ଆଡୁ ଅଭିଯୋଗ ପରେ ସରକାର ଏହାର ସରଳୀକରଣ କରିଛନ୍ତି । ପଞ୍ଜୀକରଣ ବେଳେ ଲିଗାଲ ହାୟର ବା ବଂଶାବଳୀ ପ୍ରମାଣପତ୍ର ବଦଳରେ ଚାଷୀଙ୍କୁ ଦେବାକୁ ପଡ଼ିବ ଘୋଷଣାନାମା । ଏପଟେ ପଞ୍ଜୀକରଣ ଅବଧି ବଢ଼ାଇବାକୁ ମଧ୍ୟ ସରକାର ବିଚାର କରୁଛନ୍ତି । ମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀ ଅଭିଯୋଗ ମଧ୍ୟ ହୋଇଆସୁଛି । ତେଣୁ ଏସବୁ ସମସ୍ୟାର ସମାଧାନ କଲେ ଯାଇଁ ଚାଷୀଙ୍କ ଆୟ ବଢ଼ିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ପୂର୍ବ ବିଜେଡି ସରକାରରେ କାଳିଆ ଯୋଜନା ହେଉ କିମ୍ବା ମୋହନ ସରକାରଙ୍କ ସିଏମ୍ କିଷାନ ଯୋଜନା, ଚାଷୀଙ୍କୁ ଦିଆଯାଉଥିବା ୨୦୦୦ ଟଙ୍କାର ଆର୍ଥିକ ସହାୟତା କେଉଁ କାମରେ ଲାଗୁଛି ତାହା ସବୁଠାରୁ ବଡ଼ ପ୍ରଶ୍ନ ।