କନକ ବ୍ୟୁରୋ: ପରିବାରରେ ପଡିଛି କାନ୍ଦବୋବାଳି । ଅଦିନିଆ ବର୍ଷାରେ ସୁନାର ଧାନ ଫସଲ ନଷ୍ଟ ହେବା ଦେଖି ବିଲ ମୁଣ୍ଡରେ ହିଁ ଚାଲିଯାଇଛି ଚାଷୀଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ବୀର ରାମଚନ୍ଦ୍ରପୁର ଗାଁରେ । ବିଲ ମୁଣ୍ଡରେ ହିଁ ଟଳିପଡିଛନ୍ତି ପୂର୍ଣ୍ଣଚନ୍ଦ୍ର ଦଳାଇ । ଆଷାଢର ନିଅଣ୍ଟିଆ ବର୍ଷା ପରେ ପୁଷ ମାସର ଲଗାଣ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି । ପୂର୍ଣ୍ଣଚନ୍ଦ୍ର ଧାରକରଜ କରି ଧାନ ଚାଷ କରିଥିଲେ । କିନ୍ତୁ ପୁଷ ବରଷା ସବୁ କିଛି ସାରିଦେଇଛି । ସୁନାର ଫସଲ ଉଜୁଡିଯିବା ଦେଖି ଛାନିଆରେ ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କ ଜୀବନ ଚାଲିଯାଇଛି ।
ଦୁଇଦିନର ଲଗାଣ ବର୍ଷାରେ ଧାନବିଲରେ ଲହଡି ଭାଙ୍ଗୁଛି ପାଣି । ପାଣି ଭିତରେ ସୁନାର ଫସଲକୁ ଖୋଜୁଛି ଚାଷୀ । ପୂର୍ଣ୍ଣଚନ୍ଦ୍ର ବହୁ ଆଶାରେ ଧାନ ଚାଷ କରିଥିଲେ । କିନ୍ତୁ ହଠାତ୍ ଘରର ମୁରୁବୀ ଚାଲିଯିବା ପରେ ପରିବାରର ପାଦତଳୁ ଯେମିତି ମାଟି ଖସିଯାଇଛି । ଗାଁ ଲୋକେ ବି ଏଭଳି ଚାଷୀ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ବତୁରା ଧାନକୁ ଦେଖି ଚାଷୀକୂଳ କାନ୍ଦୁଥିବାବେଳେ କରଜ କେମିତି ସୁଝାଯିବ ସେ ନେଇ କୂଳକିନାରା ପାଉନାହାନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର । ୨ଦିନ ଧରି ଧାନ ବିଲରେ ଭିଜୁଥିବାବେଳେ ଗଜା ହେବା ଆଶଙ୍କା ପ୍ରକାଶ ପାଇଲାଣି ।