କନକ ବ୍ୟୁରୋ: ପ୍ରକୃତ ଚାଷୀ ଚିହ୍ନଟ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା । କିନ୍ତୁ ପଂଜିକରଣ ପାଇଁ ଜମିପଟ୍ଟା ବାଧ୍ୟତାମୂଳକ କରାଯାଇଛି । ଅର୍ଥାତ ସରକାର ପ୍ରସ୍ତୁତ କରୁଥିବା ଚାଷୀଙ୍କ ଡାଟାବେସରେ ଭାଗଚାଷୀଙ୍କ ଭାଗ ନାହିଁ । ଜାଣିଲେ ଆଶ୍ଚର୍ୟ୍ୟ ହେବେ ରାଜ୍ୟରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଭୂମିହୀନ ଚାଷୀ ରହିଛନ୍ତି । ପୂର୍ବ ସରକାର ଏମାନଙ୍କ ଆର୍ଥିକ ସହାୟତା ଦେଉଥିଲେ । ନୂଆ ସରକାର ଏମାନଙ୍କ କଥା ପରେ ବିଚାର କରାଯିବ କହି ଭାଗଚାଷୀଙ୍କ ଭାଗ୍ୟକୁ ଅନ୍ଧାର ଭିତରକୁ ଠେଲିଦେଇଛନ୍ତି ।
ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଆଜିଠାରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମସ୍ତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠି । ଚିଠିରେ ଚାଷୀଙ୍କ ଏକ ଡାଟାବେସ ପ୍ରସ୍ତୁତ କରିବାକୁ କୁହାଯାଇଛି । ଉଭୟ ଅନଲାଇନ ଓ ଅଫଲାଇନ ମୋଡରେ ହେବ ଚାଷୀ ପଞ୍ଜୀକରଣ । ଆଧାରକାର୍ଡ ଦେଇ ପୋର୍ଟାଲ ଓ ଆପ୍ରେ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ । ସେହପରି ଜିଲ୍ଲାସ୍ତରରେ କ୍ୟାମ୍ପ ଅଫିସ ଖୋଲିବା ପାଇଁ ଜିଲ୍ଲାପାଳ ଜାଗା ଓ ତାରିଖ ସ୍ଥିର କରିବେ । ତେବେ ପଞ୍ଜୀକରଣ ପାଇଁ ଏହି ଚିଠିରେ ଯେଉଁ ସର୍ତଟି ରଖାଯାଇଛି, ତାହା ଭାଗଚାଷୀଙ୍କ ଭାଗ୍ୟକୁ କଳା ଅନ୍ଧାର ଭିତରକୁ ଠେଲି ଦେଇଛି । କାରଣ ଜମି ପଟ୍ଟା ଦେଇ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି ।
ଆମ ରାଜ୍ୟରେ ଲକ୍ଷଲକ୍ଷ ଚାଷୀ ଭାଗରେ ନେଇ ଜମି ଚାଷ କରୁଛନ୍ତି । ପ୍ରାକୃତିକ ବିପର୍ୟ୍ୟୟରେ ଫସଲ ନଷ୍ଟହେଲେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ବି ନେଉଛନ୍ତି । ସରକାର ଯଦି ଏମାନଙ୍କୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନନିଅନ୍ତି ତାହାହେଲେ ଭାଗଚାଷୀଙ୍କ ଭାଗ୍ୟ କଣ ହେବ?
ପୂର୍ବ ନବୀନ ସରକାରରେ ମଧ୍ୟ ଭାଗଚାଷୀଙ୍କୁ ଚିହ୍ନଟ କରିବା ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ସୂଚନା ଅନୁସାରେ ସେତେବେଳେ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ ହୋଇଥିଲା । ବାରମ୍ବାର ବୈଠକ ପରେ ମଧ୍ୟ କୌଣସି ସମାଧାନରକ ବାଟ ବାହାରି ପାରିନଥିଲା । ପରେ ଦାମୋଦର ରାଉତଙ୍କ ସମୟରେ ମଧ୍ୟ ଆଉଏକ କମିଶନ ଗଠନ ହେଲା । କିନ୍ତୁ ଲୋକସେବା ଭବନର ଫାଇଲ ଭିତରୁ ବାହାରି ଏହା ବିଧାନସଭା ଦେଖିପାରିନଥିଲା । ଏବେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଭାଗଚାଷୀଙ୍କ କଥା ସରକାର ବିଚାରକୁ ନେବେ । ଯେଉଁଠି ସେମାନଙ୍କ ସ୍ୱାର୍ଥହାନୀ ହେଉଛି, ଲିଖିତ ଆକାରରେ ଜିଲ୍ଲାପାଳଙ୍କୁ ଦିଅନ୍ତୁ । ରିପୋର୍ଟ ଆସିଲେ ମୁଖ୍ୟମନ୍ତ୍ରୀ ଏନେଇ ବିଚାର କରିବେ ।
ସ୍ୱାଗତଯୋଗ୍ୟ କଥା ଯେ, ନୂଆ ସରକାର ପ୍ରକୃତ ଚାଷୀ ଚିହ୍ନଟ ପାଇଁ ଡାଟାବେସ ପ୍ରସ୍ତୁତ କରୁଛନ୍ତି । ହେଲେ ପରୋକ୍ଷରେ ଭାଗଚାଷୀଙ୍କ କଥା ପରେ ବିଚାର ହେବ କହି ଜମି ପଟ୍ଟା ନଥିବା ଲକ୍ଷଲକ୍ଷ ଚାଷୀଙ୍କ ଭବିଷ୍ୟତକୁ ଆଖି ବୁଜି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/01/xANWHBQ6jMClAhhVXJO4.jpg)