ଏ ବର୍ଷ ଚାଷୀଙ୍କ ପାଇଁ ଖାଲି ସମସ୍ୟା ହିଁ ସମସ୍ୟା । ଚାଷ ଆରମ୍ଭରୁ ଅମଳ ଶସ୍ୟ ବିକ୍ରି ଯାଏଁ, ସବୁଠି ଅବ୍ୟବସ୍ଥା । ମଣ୍ଡିରେ ମିଲର ଓ ମିଲ ଏଜେଣ୍ଟର ଦାଦାଗିରି । ସରକାର କହୁଛନ୍ତି ବିନା କଟନିଛଟନିରେ ଧାନ କିଣାଯିବ । କିନ୍ତୁ ମଣ୍ଡିରେ ଚାଲିଛି ମିଲରଙ୍କ ମନମାନୀ । କିଲେ, ଦୁଇ କିଲୋ ନୁହେଁ, କ୍ୱିଣ୍ଟାଲ ପିଛା ପାଞ୍ଚ କେଜି ଧାନ କଟନିଛଟନି ପାଇଁ ବାଧ୍ୟ କରୁଛନ୍ତି । ଅରାଜି ହେଲେ ଚାଷୀଙ୍କୁ ଧମକଚମକ ଦେଉଛନ୍ତି । ବରଗଡ଼ ପଦ୍ମପୁରର ଏକ ମଣ୍ଡିରେ ଚାଷୀ-ମିଲ ଏଜେଣ୍ଟ କଥା କଟାକଟି ଭିଡ଼ିଓ ଭାଇରାଲ ହେଉଛି ।
ଏପଟେ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ି ରହିଛି ଚାଷୀଙ୍କ କଷ୍ଟ ଅର୍ଜିତ ଉତ୍ପାଦ । ବଲାଙ୍ଗିର ମୁରିବାହଲ ବ୍ଲକ ବଡ଼ସାଇମରା ମଣ୍ଡିରେ ଉତ୍ପାତ ମଚାଇଛନ୍ତି ହାତୀପଲ । ପାଖାପାଖି ୧୩ ଟିକିଆ ହାତୀପଲ ୬୦ ବସ୍ତାରୁ ଅଧିକ ଧାନ ନଷ୍ଟ କରିଛନ୍ତି । ଯେତିକି ଖାଇଛନ୍ତି, ତା'ଠାରୁ ଅଧିକ ନଷ୍ଟ କରିଛନ୍ତି । ଏହାକୁ ନେଇ ଚାଷୀ ହତାସ ହୋଇ କ୍ଷତିପୂରଣ ଦାବି କରିଛନ୍ତି । ମୁରିବାହାଲ ତହସିଲଦାର ପହଞ୍ଚି ତଦନ୍ତ କରିଛନ୍ତି ।
ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ସବୁଠି, ମଣ୍ଡି ଅବ୍ୟବସ୍ଥା । ଦୁଇ ସପ୍ତାହ ହେଲା ରାୟଗଡ଼ା ମୁନିଗୁଡା ବ୍ଲକ କୁମୁଡାବାଲି ସ୍ଥିତ ମଣ୍ଡିରେ ପଡିରହିଛି ୫ହଜାର ବସ୍ତା ଧାନ । ଏଫ୍ଏକ୍ୟୁ ମାନର ନୁହେଁ ବୋଲି କହି କିଣୁନାହାନ୍ତି ମିଲର । ତେଣୁ ଶୀତ କାକରରେ ଧାନକୁ ରଖି ଜଗି ରହିଛନ୍ତି ଚାଷୀ । ଚାଷୀଙ୍କ ସହ ମିଶି ମଣ୍ଡିରେ ବସି ରହିଛନ୍ତି ବିଷମକଟକ ବିଧାୟକ ନିଳମାଧବ ହିକ୍କା । କହିଛନ୍ତି, ସବୁ ଧାନ ଉଠିବା ନପର୍ୟ୍ୟନ୍ତ ସେ ମଣ୍ଡିରେ ବସି ରହିବେ ।